ଭୁବନେଶ୍ବର: ଆଜି ପବିତ୍ର ଗୁରୁଦିବସ । ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନ । ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟେମ୍ବର ୫କୁ ୧୯୬୨ ମସିହାରୁ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ ହୋଇଆସୁଛି । ଆଜି ସାରା ଦେଶର ସମସ୍ତ ବିଦ୍ୟାଳୟ, ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ ହୋଉଛି । ଭୁବନେଶ୍ବର ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଗୁରୁଙ୍କୁ ପୂଜାର୍ଚ୍ଚନା କରିବା ସହ ଭକ୍ତି ଭାବରେ ଗୁରୁ ଦିବସ ପାଳନ କରିଛନ୍ତି ।
ଗୁରୁ ଦିବସରେ ବିଦ୍ୟାଳୟରେ କୁନି କୁନି ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କୁ ପୁଷ୍ପ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ । ତତ୍ସହିତ ଧୂପ ଓ ଦୀପରେ ବନ୍ଦାପନା ମଧ୍ୟ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ସମସ୍ତ ଗୁରୁଙ୍କୁ ମିଷ୍ଟାନ୍ନ ଖୁଆଇବା ସହିତ ଚରଣ ସ୍ପର୍ଶ କରିବା ଦେଖିବାକୁ ମିଳିଥିଲା ।