ଓଡିଶା

odisha

ETV Bharat / city

ସୁରଜ ସମ୍ମାନ: ଅଙ୍ଗଦାନ କରି ପୁରସ୍କୃତ ହେଲେ 3 ମହିଳା - 3 women awarded with organ donations

ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 3 ଜଣ ମହିଳାଙ୍କୁ ମରଣୋତ୍ତର 'ସୁରଜ ସମ୍ମାନ'ରେ ସମ୍ମାନିତ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ପ୍ରତି ଅଙ୍ଗଦାତା ପରିବାରକୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ୨୦୧୯ ଅକ୍ଟୋବରରେ ଗଞ୍ଜାମ ଭଞ୍ଜନଗରର ଯୁବକ 'ସୁରଜ' ଗୁଜୁରାଟର ସୁରଟରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ପୁଅର ହୃତପିଣ୍ଡ, କିଡନୀ, ଯକୃତ ଓ ଚକ୍ଷୁ ଦାନ କରିବାକୁ ଘୋଷଣା କରିଥିଲେ ପରିବାର । ଆଉ ବଞ୍ଚାଇଥିଲେ 6 ଜୀବନ । ସୁରଜଙ୍କ ପରିବାରର ମାନବିକତାର ଏହି ସର୍ବୋଚ୍ଚ ନିଦର୍ଶନକୁ ସମ୍ମାନ ଜଣାଇ ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ସୁରଜ ସମ୍ମାନ' ପୁରସ୍କାର ଘୋଷଣା କରିଥିଲେ । ଅଧିକ ପଢନ୍ତୁ...

ସୁରଜ ସମ୍ମାନ: ଅଙ୍ଗଦାନ କରି ପୁରସ୍କୃତ ହେଲେ 3 ମହିଳା
ସୁରଜ ସମ୍ମାନ: ଅଙ୍ଗଦାନ କରି ପୁରସ୍କୃତ ହେଲେ 3 ମହିଳା

By

Published : Aug 13, 2020, 8:33 PM IST

Updated : Aug 13, 2020, 10:16 PM IST

ଭୁବନେଶ୍ବର:ଆଜି ବିଶ୍ବ ଅଙ୍ଗଦାନ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 3 ଜଣ ମହିଳାଙ୍କୁ ମରଣୋତ୍ତର 'ସୁରଜ ସମ୍ମାନ'ରେ ସମ୍ମାନିତ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ପ୍ରତି ଅଙ୍ଗଦାତା ପରିବାରକୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।

ଗୁରୁବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ବରର ସୁଚିତ୍ରା ଦାସ ଓ ପୁରୀ ଡ଼େଲାଙ୍ଗର ରାଜଲକ୍ଷ୍ମୀ ଦାସଙ୍କ ପରିବାରକୁ 'ସୁରଜ ସମ୍ମାନ'ରେ ସମ୍ମାନିତ କରିବା ସହ ସେମାନଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ 'ସୁରଜ'ଙ୍କ ପରିବାରର ସାହସିକ ନିଷ୍ପତ୍ତି ଓ ମଣିଷ ପଣିଆର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କ ତ୍ୟାଗ ଅନ୍ୟମାନଙ୍କୁ ଅଙ୍ଗଦାନ ପାଇଁ ପ୍ରେରଣା ସୃଷ୍ଟି କରିଛି ବୋଲି କହିଥିଲେ ।

ସୁରଜ ସମ୍ମାନ: ଅଙ୍ଗଦାନ କରି ପୁରସ୍କୃତ ହେଲେ 3 ମହିଳା

କିଏ ଏହି ସୁରଜ ?

୨୦୧୯ ଅକ୍ଟୋବରରେ ଗଞ୍ଜାମ ଭଞ୍ଜନଗର ଉପଖଣ୍ଡ ଲାଲ ସିଂ ଗାଁର ସୁରଜ ବେହେରା ଓରଫ 'ସୁରଜ' । ଗୁଜୁରାଟର ସୁରଟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁଥିରେ ଅକାମୀ ହୋଇଥିଲା ତାଙ୍କର ମସ୍ତିଷ୍କ । ହେଲେ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ସଠିକ୍‌ ଭାବେ କାମ କରୁଥିବାରୁ ଏହାକୁ ଦାନ କରି ଜୀବନ ସଞ୍ଚାର କରିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତରୀ ଟିମ୍‌ ।

ପ୍ରଥମେ ନିଜ ପୁଅର ଅଙ୍ଗଦାନ କରିବାକୁ ଅରାଜି ହୋଇଥିବା ବାପାମା' । ପରେ ପୁଅର ସାମାଜିକ ଦାୟିତ୍ବବୋଧ ହୃଦୟଙ୍ଗମ କରି ମହାନ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ । ପରେ ସୁରଜଙ୍କ ଅସ୍ତ୍ରୋପଚାର କରାଯାଇ ତାର ହୃତପିଣ୍ଡ, କିଡନୀ, ଯକୃତ ଓ ଚକ୍ଷୁ ଦାନ କରାଯାଇଥିଲା । ପରିବାରଲୋକଙ୍କ ପାଇଁ ଏହି ମୁହୂର୍ତ୍ତ ବେଶ ହୃଦୟବିଦାରକ ଥିଲା ସତ ମାତ୍ର ତାଙ୍କର ଏହି ମହାନପଣିଆ ପାଇଁ ଆଜି ହସିପାରିଛି ଅନ୍ୟ 6 ଜଣଙ୍କ ଜୀବନ । ଆଜି ସୁରଜ ଏ ଦୁନିଆରେ ନାହାନ୍ତି, ହେଲେ ତାଙ୍କ ଆଖିରେ କିଏ ଦୁନିଆ ଦେଖୁଛି ତ କିଏ ପୁଣି ତାଙ୍କ ହୃତପିଣ୍ଡ ଯୋଗୁଁ କିଏ ପାଇଛି ନୂଆ ଜୀବନ ।

କାହିଁକି ସୁରଜ ସମ୍ମାନ ?

ଦୁର୍ଘଟଣାରେ ମୃତସୁରଜଙ୍କ ପରିବାରର ମାନବିକତାର ଏହି ସର୍ବୋଚ୍ଚ ନିଦର୍ଶନକୁ ସମ୍ମାନ ଜଣାଇବା ସହ ସୁରଜଙ୍କ ସ୍ମୃତିରେ ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ସୁରଜ ସମ୍ମାନ' ପୁରସ୍କାର ଘୋଷଣା କରିଥିଲେ । ଆଉ 'ସୁରଜ'ଙ୍କ ପରେ ଅଙ୍ଗଦାନ କରିବାକୁ ଆଗେଇ ଆସିଥିଲେ ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ବରର ସୁଚିତ୍ରା ଦାସ ଓ ପୁରୀ ଡ଼େଲାଙ୍ଗର ରାଜଲକ୍ଷ୍ମୀ ଦାସ । ଆଉ ନିଜ ଅଙ୍ଗଦାନ କରି ବଞ୍ଚାଇଥିଲେ କିଛି ଜୀବନ । ସେମାନଙ୍କ ଏହି ତ୍ୟାଗକୁ ସମ୍ମାନ ଜଣାଇ ବିଶ୍ବ ଅଙ୍ଗଦାନ ଦିବସରେ ମୁଖ୍ୟମନ୍ତ୍ରୀ ଏମାନଙ୍କ ପରିବାରକୁ 'ସୁରଜ ସମ୍ମାନ'ରେ ସମ୍ମାନିତ କରିଛନ୍ତି ।

ସୂର୍ଯ୍ୟଙ୍କ ପରି ଆଜି ଏମାନେ ମଧ୍ୟ ଅନ୍ୟମାନଙ୍କ ଜୀବନକୁ ଆଲୋକିତ କରିପାରିଛନ୍ତି । ତେବେ ଯେଉଁମାନେ ଏହି ଅଙ୍ଗଦାନ ଭଳି ପୂଣ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ସେମାନଙ୍କ ଏହି ସମ୍ମାନରେ ସମ୍ମାନିତ କରାଯିବ । ଆଉ ବର୍ତ୍ତମାନ ସୁଦ୍ଧା ଅଙ୍ଗଦାନ କରିଥିବା ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ଏହି ସାଧୁ ପଦକ୍ଷେପ ରୋଗୀମାନଙ୍କ ପାଇଁ ବଞ୍ଚିବାର ନୂଆ ଆଶାର କିରଣ ସୃଷ୍ଟି କରିଛି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଅନ୍ୟର ଜୀବନ ବଞ୍ଚାଇବା ଠାରୁ ଅଧିକ ପୁଣ୍ୟ କିଛି ନାହିଁ । ଅଙ୍ଗଦାନ କରିଥିବା ବ୍ୟକ୍ତିମାନେ ମରି ମଧ୍ୟ ଆଜି ଅମର ରହିଛନ୍ତି ।

ଆଜିର ଏହି ସମ୍ମାନ କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ 5'ଟି' ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଉପସ୍ଥିତ ରହିଥିବା ବେଳେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସିଂ ହଲରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସ୍ୱର୍ଗୀୟ ପ୍ରିୟଙ୍କା ରାଣୀ ପାତ୍ରଙ୍କ ସ୍ୱାମୀ ଭି. ସମୀର କୁମାର ରାଜୁ, ସମୀର କୁମାରଙ୍କ ପିତା ଭି. ଧର୍ମାରାଜୁ ଏବଂ ତାଙ୍କ ଭାଇ ଭି. ସଚିନ୍ କୁମାରଙ୍କ ଉପସ୍ଥିତିରେ ପାଞ୍ଚଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।

ପ୍ରକାଶ ଥାଉକି, ଚଳିତ ବର୍ଷ ଜାନୁୟାରୀ ୨୬ ତାରିଖ ଦିନ ଏକ ସଡକ ଦୁର୍ଘଟଣାରେ ବ୍ରହ୍ମପୁର ପ୍ରିୟଙ୍କାରାଣୀଙ୍କ ପରିବାରର ସମସ୍ତ ସଦସ୍ୟ ଆହତ ହୋଇଥିଲେ । ଯେଉଁଥିରେ ପ୍ରିୟଙ୍କାରାଣୀ ପାତ୍ର ମୃତ୍ୟୁ ଘଟିଥିଲା । ପରିବାର ବର୍ଗ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଅସ୍ତ୍ରୋପଚାର କରି ତାଙ୍କର କିଡନୀ ବାହାର କରିଥିଲେ । ଆପୋଲୋ ହସ୍ପିଟାଲରେ ହିଁ ଜଣେ ଜରୁରୀ ବ୍ୟକ୍ତିଙ୍କୁ ଗୋଟିଏ ଏବଂ ଅନ୍ୟଟି କଟକ ଏସସିବି ମେଡିକାଲର ଅତ୍ୟାବଶ୍ୟକ ଜଣେ ରୋଗୀଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦିବ୍ୟଲୋଚନ ମହନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 13, 2020, 10:16 PM IST

ABOUT THE AUTHOR

...view details