ଭୁବନେଶ୍ବର:ବଙ୍ଗୋପସାଗରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ଘନୀଭୂତ ହେବାର ଲାଗିଛି । ଦକ୍ଷିଣ ଆଣ୍ଡାମାନ ସାଗରୀୟ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର (cyclonic circulation) ସୃଷ୍ଟି ହୋଇ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେଠାରୁ ଲୋକଙ୍କୁ ସଚେତନ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହାକୁ ନେଇ ସେ ଟ୍ବିଟ୍ କରି ଲୋକଙ୍କୁ ଅଯଥାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମନା କରିଛନ୍ତି ମନ୍ତ୍ରୀ ।
ଯୋଗାଣ ମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ,"ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଯଥା ଅତ୍ୟାବଶ୍ୟକ ଜିନିଷ ବହୁ ମାତ୍ରାରେ କ୍ରୟ କରି ମହଜୁଦ ରଖନ୍ତୁ ନାହିଁ । ଏହାଦ୍ଵାରା ବଜାରରେ କୃତିମ ଅଭାବ ଦେଖାଦେଇପାରେ ଏବଂ ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି । ସରକାର ବାତ୍ୟା ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି କରୁଛନ୍ତି । ଖାଦ୍ୟ ଯୋଗାଣ ବିଭାଗ ମଧ୍ୟ ବଜାର ଉପରେ କଡ଼ା ନଜର ରଖିଛି । ବଜାରରେ ସବୁ ପ୍ରକାର ଖାଦ୍ୟ ପଦାର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ।"