ଭୁବନେଶ୍ବର: ମାରାତ୍ମକ ଭୂତାଣୁ କରୋନାକୁ ନେଇ ବିଶ୍ବବ୍ୟାପୀ ଆତଙ୍କ । ସବୁଠି ଚାଲିଛି ମୁକାବିଲା ପାଇଁ ସତର୍କତା, ପ୍ରସ୍ତୁତି । କେଉଁଠି ଟ୍ରେନ ବିଶୋଧନ କରାଯାଉଛି ତ କେଉଁଠି ବସ । ପୁଣି କେଉଁଠି ଲୋକଙ୍କୁ ସଚେତନା କରୁଛି ପ୍ରଶାସନ । କୋଭିଡ-19ର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ କୌଣସି ଅବହେଳା କରୁନାହାଁନ୍ତି । ପୂର୍ବରୁ ଅନେକ ପଦକ୍ଷେପ ନେଇଥିବା ସରକାର ଆଜି ପୁଣି କଠୋର ହୋଇଛନ୍ତି । ଏସଓପି ପାଳନ କରିନଥିବା ରାଜଧାନୀର ବିଭିନ୍ନ ହୋଟେଲ ଗେଷ୍ଟ ହାଉସରେ ଚଢାଉ କରିଛି ବିଏମସି ସ୍କ୍ବାୟାଡ ।
ସେହିପରି ଆଜି ଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ଖାତା ମୁଲ୍ୟାୟଙ୍କନ କେନ୍ଦ୍ରରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି । ସତର୍କତା ସ୍ବରୂପ OPSCର ଲିଖିତ ମୌଖିକ ପରୀକ୍ଷା ସ୍ଥଗିତ ହୋଇଛି । ତେବେ ଲୋକଙ୍କ ଦୁର୍ଦ୍ଦଶା ବେଳେ କଳାବଜାରୀ କରୁଥିବା ଜଣେ ବ୍ୟବସାୟୀଙ୍କୁ ବାନ୍ଧିଛି କମିଶନରେଟ ପୋଲିସ ।
ସେପଟେ ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ଅଛି, ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । ବାଗଚୀ ଆହୁରି କହିଛନ୍ତି କରୋନା ଏବେ ବିଶ୍ବର 167 ଦେଶକୁ ବ୍ୟାପିଛି । ଆକ୍ରାନ୍ତଙ୍କ ସଂଖ୍ୟା ଏକଲକ୍ଷ 99 ହଜାର 193କୁ ବୃଦ୍ଧି ପାଇଛି । ଏହାବାଦ ଦେଶରେ 148 ଆକ୍ରାନ୍ତ ଥିବାବେଳେ 3 ଜଣଙ୍କ ମୃତ୍ୟୁ ହୋଇଛି । ଆଶ୍ବସ୍ତିକର ବିଷୟ ହେଉଛି ରାଜ୍ୟର ବର୍ତ୍ତମାନ ସୁଦ୍ଧା 47 ସାମ୍ପୁଲ ଟେଷ୍ଟ ପାଇଁ ଯାଇଥିବାବେଳେ ଗୋଟିଏ ମାତ୍ର ପଜିଟିଭ ଆସିଛି ।