ଭୁବନେଶ୍ବର: ଗୋଟିଏ ପଟେ ଅନଲାଇନ ଶିକ୍ଷାଦାନ, ଆରପଟେ ଡାଟା ପ୍ୟାକ୍ ଚିନ୍ତାରେ ପକାଇଛି ବିଦ୍ୟାର୍ଥୀଙ୍କୁ । ଅନଲାଇନ ଶିକ୍ଷାଦାନ ପାଇଁ ସ୍ମାର୍ଟ ଫୋନ୍ ବାଧକ ସାଜି ଥିବାବେଳେ ଏବେ ସ୍ମାର୍ଟ ଫୋନରେ ଡାଟା ଭରିବା କଷ୍ଟକର ହୋଇପଡିଛି । ବିଗତ ଗୋଟିଏ ବର୍ଷ ହେବ ଅନଲାଇନ ପଢାପାଇଁ କଷ୍ଟେ ମଷ୍ଟେ ସ୍ମାର୍ଟ ଫୋନ କରିଥିଲେ ପିଲାଏ । କିଛି ମାସ ହେବ ଘରୋଇ ଟେଲିକମ ସଂସ୍ଥାଗୁଡିକ ଡାଟା ବାଲାନ୍ସ ବୃଦ୍ଧି କରିବା ପରେ ଅଭିଭାବକଙ୍କ ମୁଣ୍ଡରେ ଚଡକ ପଡିଛି ।
କୋଭିଡ ସମୟରେ ଆର୍ଥିକ ଅନଟନର ବୋଝ ଉପରେ ଏପରି ବ୍ୟୟବହୁଳ ଅନଲାଇନ ଶିକ୍ଷା ଅଭିଭାବକଙ୍କ ଆର୍ଥିକ ମେରୁଦଣ୍ଡରେ ବୋଝ ଉପରେ ନଳିତା ବିଡା ସାଜିଛି । ସେପଟେ କୋଭିଡ କଟଣାରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଦାବି ଉଠିଛି । ମହାମାରୀ ,ପ୍ରାକୃତିକ ବିପର୍ଯ୍ୟୟ ଠୁ ବଳିଗଲାଣି ଶିକ୍ଷା ବିପର୍ଯ୍ୟୟ । ଅନଲାଇନ-ଅଫଲାଇନ ଏବଂ ଅଫଲାଇନ-ଅନଲାଇନ ମାଧ୍ୟମରେ ଚାଲିଛି ପାଠପଢା । କୋଭିଡ ସଂକ୍ରମଣକୁ ରୋକିବା ଲାଗି ଅଫଲାଇନ ପାଠପଢାରେ ବ୍ରେକ୍ ଦେଇ ଅନଲାଇନକୁ ଫେରୁଛି ଶିକ୍ଷାବ୍ୟବସ୍ଥା । ହେଲେ ପାଠପଢା ତ ଦୂରର କଥା ଇଣ୍ଟରନେଟ୍ ଡାଟା ଅଭିଭାବକଙ୍କୁ ହରଡଘଣାରେ ପକାଇଛି ।
ଉଭୟ ଘରୋଇ ଓ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଦୌନିକ ଘଣ୍ଟା ଘଣ୍ଟା ଅନଲାଇନ ପାଠପଢାରେ ବିତାଉଛନ୍ତି । ଅସଲ କଥା ହେଉଛି କି, ଗତ କିଛି ମାସ ପୂର୍ବରୁ ଘରୋଇ ଟେଲିକମ୍ ସଂସ୍ଥାଗୁଡିକ ଇଣ୍ଟରନେଟ୍ ଡାଟା ବାଲାନ୍ସ ପ୍ରାୟ 20 ପ୍ରତିଶତରୁ ଅଧିକ ବୃଦ୍ଧି କରିଛନ୍ତି । ଫଳରେ ଅଭିଭାବକଙ୍କ ପୂର୍ବାପେକ୍ଷା ମାସିକ ଇଣ୍ଟରନେଟ୍ ଡାଟା ବଜେଟ୍ ବୋଝ ଉପରେ ନଳିତା ବିଡା ସଦୃଶ ପାଲଟିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କିଛି ଅନଲାଇନ ଶିକ୍ଷା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଧିକ ସମୟ ଇଣ୍ଟରନେଟରେ ଅତିବାହିତ କରିବାକୁ ବାଧ୍ୟ କରାଯାଉଛି ।