ଭୁବନେଶ୍ବର:ଉତ୍କଳ ବିଶ୍ବ ବିଦ୍ୟାଳୟରେ ଶିକ୍ଷାନୁଷ୍ଠାନ ବନ୍ଦ କରିବା ସହିତ ହଷ୍ଟେଲ ଖାଲି କରିବାକୁ ରାଜ୍ୟ ସରକାରଙ୍କ ନୋଟିସ ଆସିବା ପରେ ଏହାକୁ ବିରୋଧ କରି ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଦେଇଛି । ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ନାରାବାଜି କରିଥିଲେ । ତେବେ ବିଏମସି କମିଶନରଙ୍କ ବୁଝାସୁଝା ପରେ ସେମାନେ ଧାରଣାରୁ ଉଠିଛନ୍ତି ।
ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନର କିଛି ଶ୍ରେଣୀ ବନ୍ଦ କରିବା ସହ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହଷ୍ଟେଲ ଖାଲି କରିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ କୋରୋନା ଆଳରେ ଏପରି ଶିକ୍ଷାନୁଷ୍ଠାନ ବନ୍ଦ ପ୍ରକ୍ରିୟାକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅସନ୍ତୋଷ ଦେଖାଦେଇଛି । ଶୁକ୍ରବାର ସକାଳୁ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ପକ୍ଷରୁ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ବିଶ୍ବବିଦ୍ୟାଳୟ ପରିସରରେ ରାଲି କରି ଆନ୍ଦୋଳନ କରିଥିଲେ ।