ଭୁବନେଶ୍ବର:ବେସରକାରୀ ବିଦ୍ୟାଳୟଗୁଡ଼ିକରେ 23 ଜୁଲାଇ ତାରିଖରୁ 31 ଜୁଲାଇ ତାରିଖ ପର୍ଯ୍ୟନ୍ତ ନାମ ଲେଖାଯିବ। ଦ୍ଵିତୀୟ ଚୟନରେ ପୁଣି ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ସିଟ୍ ପାଇଁ ଅଗଷ୍ଟ 1ତାରିଖରୁ ଅଗଷ୍ଟ 10 ତାରିଖ ମଧ୍ୟରେ ଆବେଦନ ଗ୍ରହଣ କରାଯିବ ।
ଓଡ଼ିଶା ସରକାରଙ୍କ 5T ଯୋଜନା ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସାମାଜିକ ଓ ଅର୍ଥନୈତିକ ଦୂର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ନାମଲେଖାପାଇଁ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଶିକ୍ଷା ଅଧିକାର ଆଇନ ୨୦୦୯ ଧାରା ୧୨ (1)ଗ ର ପରିପାଳନ ଅନୁଯାୟୀ ଚଳିତ ବର୍ଷ ସାମାଜିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ ଆହ୍ବାନ କରାଯାଇଥିଲା ।
ଫେବୃୟାରୀ ମାସରୁ ଆରମ୍ଭକରି ଜୁଲାଇ ମାସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିଲେ। ପ୍ରଥମଥର ପାଇଁ ପୋର୍ଟାଲ ମାଧ୍ୟମରେ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ନାମଲେଖା କରାଯାଉଥିବା ଯୋଗୁ ଟେଲିଭିଜନ, ଖବର କାଗଜ, ସାମାଜିକ ଗଣମାଧ୍ୟମ ଓ ପୋଷ୍ଟର ମାଧ୍ୟମରେ ଅଭିଭାବକମାନଙ୍କ ଅବଗତି ପାଇଁ ସର୍ବସାଧାରଣ ସୂଚନା ଦିଆଯାଇଥିଲା।