ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ଛାତ୍ର ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ରାଜ୍ୟର ୩୨୦ ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ମାଗଣାରେ କୋଚିଂ ଯୋଗାଇ ଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ।
ରାଜ୍ୟର ୧୪ଟି ଜିଲ୍ଲାରେ ବିଭାଗ ଦ୍ବାରା ପରିଚାଳିତ ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ପ୍ରତ୍ୟେକ ବର୍ଷ ୩୦ ହଜାରରୁ ଉର୍ଦ୍ଧ୍ବ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଦେଇଥାନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏବଂ ଯୁବ ବୟସରୁ ଏହି ବର୍ଗର ପିଲାମାନଙ୍କ ପ୍ରତିଭାର ବିକାଶ ସହିତ ସେମାନଙ୍କୁ ଚିହ୍ନଟ କରିବା ଲକ୍ଷ୍ୟରେ ରାଜ୍ୟ ଅନୁସୂଚିତଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ୭ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ମେଧା ଭିତ୍ତିରେ ଦଶମ ଶ୍ରେଣୀର ବିଭାଗ ଦ୍ବାରା ପରିଚାଳିତ ହାଇସ୍କୁଲର ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯିବ ।
ଆଦିବାସୀ-ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ଦ୍ବାରା ଦୁର୍ଗମ ଅଞ୍ଚଳରେ ରହୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ଉତ୍କୃଷ୍ଟ କୋଚିଂ ସୁବିଧା ପାଇବା ସହ ସେମାନଙ୍କର ପ୍ରତିଭା ସମେତ ପ୍ରତିଯୋଗୀ ମନୋଭାବ ବିକଶିତ ହୋଇପାରିବ ।