ଭୁବନେଶ୍ବର: ଭାଇ-ଭଉଣୀ। ଏହି ସମ୍ପର୍କ ସୂତା ଖିଅରୁ ଆରମ୍ଭ ହୋଇଥାଏ ଓ ସୁରକ୍ଷାର ୱାଦା ଦେଇଥାଏ। ଏହି ସମ୍ପର୍କର ମୂକ ସାକ୍ଷୀ ପାଲଟେ ରକ୍ଷା ବନ୍ଧନ। ଆଉ ରକ୍ଷା ବନ୍ଧନରେ ରାକ୍ଷୀର ଭୂମିକା ତ ସମସ୍ତଙ୍କୁ ଜଣା। ତେବେ ଏଥର ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ଗେହ୍ଲୀ ଭଉଣୀ ବାନ୍ଧିବେ ଇକୋ ଫ୍ରେଣ୍ଡଲି ରାକ୍ଷୀ। ଯାହାକୁ ଓରମାସ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପ୍ରଚେଷ୍ଟାରେ ପ୍ରସ୍ତୁତ ହୋଇଛି। ପ୍ରାକୃତିକ ପଦାର୍ଥରେ ପ୍ରସ୍ତୁତ ଏହି ରାକ୍ଷୀ ବଜାରରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ପରିବେଶ ଉପଯୋଗୀ ବାର୍ତ୍ତା ପ୍ରଦାନ କରୁଛି।
ଭାଇ ହାତରେ ଝଲସିବ ଗ୍ଲେହୀ ଭଉଣୀର ସବାଇଘାସ ରାକ୍ଷୀ - Strength the bond with organic rakhi
ରାକ୍ଷୀ ହେଉଛି ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ପର୍ବ। ସେଥିପାଇଁ ତ ଏହି ପର୍ବ ସହ ଅନେକ ସ୍ମୃତି ଓ ପ୍ରେମ ଯୋଡି ହୋଇ ରହିଥାଏ। ହେଲେ ଏହି ପର୍ବରେ ପରିବେଶ ସୁରକ୍ଷା କଥା ଭାବି ନିଆରା ରାକ୍ଷୀ ପ୍ରସ୍ତୁତ କରି ବନ୍ଧନର ପର୍ବରେ ଚାରଚାନ୍ଦ ଲଗାଇଛନ୍ତି ଓରମାସ ମହିଳା ଗୋଷ୍ଠୀ।

ପୂର୍ବରୁ ପ୍ଲାଷ୍ଟିକ ଭଳି ବିଭିନ୍ନ ପଦାର୍ଥରେ ନିର୍ମିତ ରାକ୍ଷୀ ପରିବେଶ ପ୍ରତି ବିପଦ ସାଜୁଥିବାବେଳେ ଏହି ମହିଳା ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଦେଶୀ ରାକ୍ଷୀ ସମ୍ପର୍କ ବି ଯୋଡିବ ଓ ପରିବେଶକୁ ସୁରକ୍ଷା ଦେବ। ସବାଇ ଘାସ, ଧାନ ଓ ଚାଉଳକୁ ବ୍ୟବହାର କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ଯେଉଁଥିପାଇଁ ଓରମାସ ସହଯୋଗ ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛି। ଲକ ଡାଉନ ସମୟରେ ନିଜ ଲୋକଙ୍କ ପାଇଁ ସ୍ବଦେଶୀ ଜିନିଷରେ ରାକ୍ଷୀ ପ୍ରସ୍ତୁତ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ମହିଳା। ଏହାସହ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରି ଦେଶ ବିଦେଶରେ ବେଶ ଖ୍ୟାତି ଅର୍ଜନ କରିପାରୁଛନ୍ତି ଗ୍ରାମାଞ୍ଚଳର ମହିଳା।
ପ୍ରଧାନମନ୍ତ୍ରୀଙ୍କ ଲୋକାଲ ଫର୍ ଭୋକାଲ୍ ବାର୍ତ୍ତାକୁ ଅକ୍ଷରେ ଅକ୍ଷରେ ପାଳି ପରିବେଶ ଉପଯୋଗୀ ସବାଇ ଘାସ ବ୍ୟବହୃତ ରାକ୍ଷୀ ଗୋଟିଏ ବାର୍ତ୍ତା ଦେଉଛି। ଆମେ ସବୁ ପର୍ବ ପର୍ବାଣୀରେ ପ୍ରଥମେ ପରିବେଶ ଓ ପରେ ପରମ୍ପରା କଥା ଭାବିବା ଉଚିତ୍। ଆଉ ଏଥିରେ ସ୍ବଦେଶୀ ସାମଗ୍ରୀର ବ୍ୟବହାର କରି ଆତ୍ମନିର୍ଭର ଭାରତର ସ୍ବପ୍ନକୁ ସାକାର କରିବା।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ
TAGGED:
rakhya bandhan