ଭୁବନେଶ୍ବର:ବେକାବୁ ଅପରାଧୀଙ୍କ ଉତ୍ପାତ । ରାଜଧାନୀର ନୟାପଲ୍ଲୀ ଥାନା ଅଞ୍ଚଳରୁ ଛିନତାଇର ଏକ ରିପୋର୍ଟ ଆସିଛି । ଏଠାରେ ଜଣେ ନର୍ସିଂ ଛାତ୍ରୀ କାମ ସାରି ଘରକୁ ଫେରୁଥିବା ବେଳେ ମନିପର୍ସ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ଘଟଣାଟି ଘଟିଛି ନୟାପଲ୍ଲୀ ଥାନା ଏକାମ୍ର ପାର୍କ ନିକଟ ବିର୍ଲା ଛକରେ ।
ଆଇଆରସି ଭିଲ୍ଲା ଆଦିବାସୀ ଭିଲେଜର ରଶ୍ମିତା ଦିଗଲ ନିଜ କଲେଜରୁ ଫେରୁଥିବା ବେଳେ କଲେଜର ଫି’ ଦେବା ପାଇଁ ନିଜର ମାଉସୀଙ୍କଠୁ ୫ ହଜାର ଟଙ୍କା ଆଣିଥିଲେ । ଏଥିସହ ନିଜ ମା’ଙ୍କ ପାଇଁ ଏକ ଦାମୀ ଔଷଧ ନେଇ ଘରକୁ ଆସୁଥିବା ବେଳେ ବାଟରେ ଦୁଇଜଣ ଦୁର୍ବୃତ୍ତ ହଠାତ ପଛପଟୁ ଆସି ଛାତ୍ରୀଙ୍କର ଭ୍ଯାନିଟି ଝାମ୍ପିନେଇଛନ୍ତି । ଛାତ୍ରୀ ଜଣକ ମୋ ମାର ଔଷଧ ବୋଲି ବିକଳ ହୋଇ ଡାକୁଥିଲେ ମଧ୍ଯ ଦୁର୍ବୃତ୍ତ ଦୁଇଜଣ ତାଙ୍କ ହାତରୁ ଭ୍ଯାନିଟି ଛଡାଇ ଚମ୍ପଟ ମାରିଥିଲେ ।