ଭୁବନେଶ୍ବର:ବିଶ୍ବ ବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ କୋର୍ସରେ କଟକଣା । ସେଲ୍ଫ ଫାଇନାନ୍ସ କୋର୍ସ ଦ୍ବାରା ନିୟମିତ ପାଠ୍ୟକ୍ରମ ପ୍ରଭାବିତ ହେଉଛି। ତେଣୁ ସେଲ୍ଫ ଫାଇନାନ୍ସ କୋର୍ସ ବିଶ୍ବବିଦ୍ୟାଳୟ ସିଟ୍ର ୨୦ ପ୍ରତିଶତ ଭିତରେ ସୀମିତ ରଖିବାକୁ କୁଳାଧିପତିଙ୍କ ସଚିବାଳୟରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି । 2022-23 ଆର୍ଥାତ ଆଗାମି ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବାକୁ କୁହାଯାଇଛି । ଏଭଳି ନିଷ୍ପତ୍ତିକୁ ଅନେକ ବିରୋଧ ମଧ୍ୟ କରିଛନ୍ତି ।
ସେଲ୍ଫ ଫାଇନାନ୍ସ କୋର୍ସରେ ପରିବର୍ତ୍ତନ ଏଣିକି PPP ମୋଡ୍ରେ ଆଉ ଚାଲି ପାରିବନି ସେଲ୍ଫ ଫାଇନାନ୍ସ କୋର୍ସ । ବିଶ୍ବବିଦ୍ୟାଳୟ ଡାଇରେକ୍ଟ ମୋଡ୍ରେ SFC କୋର୍ସ ପରିଚାଳନା କରିବେ । କୌଣସି ପ୍ରାଇଭେଟ୍ କଲେଜ SFCରେ ସାମିଲ ହୋଇ ପାରିବେ ନାହିଁ । ଯେଉଁଠି SFC ଚାଲିଛି ସେ ନେଇ ବିଶ୍ବବିଦ୍ୟାଳୟ ନିଷ୍ପତ୍ତି ନେବ । ଚଳିତ ବର୍ଷ ଜୁନ୍ 30 ମଧ୍ୟରେ ବିଶ୍ବବିଦ୍ୟାଳୟ ନିଷ୍ପତ୍ତି ନେବ । ଯେଉଁମାନେ ନାମ ଲେଖାଇଛନ୍ତି କୋର୍ସ ଶେଷ କରିବାକୁ ଅନୁମତି ମିଳିଛି ।
600ଟି ସିଟ୍ରେ 120ଟି ସେଲ୍ଫ ଫାଇନାନ୍ସ ପାଠ୍ୟକ୍ରମ ଖୋଲିବ । ଆସନ୍ତା ଶିକ୍ଷା ବର୍ଷରୁ ବିଶ୍ବବିଦ୍ୟାଳୟରେ ଏହି ସଂଖ୍ୟାଠାରୁ ଅଧିକ ସିଟ୍ ରହିଥିବା ଶିକ୍ଷାନୁଷ୍ଠାନରେ ସିଟ୍ ହ୍ରାସ କରାଯିବ । କେଉଁ ବିଭାଗରେ କେତେ ସିଟ୍ କମିବ ସେନେଇ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍ ଓ ପରିଷଦ ବୈଠକ ଦ୍ବାରା ଜୁନ୍ 30 ସୁଦ୍ଧା ନିଷ୍ପତ୍ତି ନେବେ । ତେବେ ବିଶ୍ବବିଦ୍ୟାଳୟର କୌଣସି ବି ପାଠ୍ୟକ୍ରମ ଆଉ ପିପିପି(ସରକାରୀ ଘରୋଇ ଭାଗିଦାରୀ)ରେ ପରିଚାଳିତ ହୋଇପାରିବ ନାହିଁ । ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନାମଲେଖା ମେରିଟ୍ ହିସାବରେ କରାଯିବ । ଏନେଇ ବିବୃତ୍ତି ଜାରି ହୋଇଛି ।
ଏଭଳି ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି । ସରକାରୀ ବିଶ୍ବ ବିଦ୍ୟାଳୟର ସେଲଫ ଫାଇନାନ୍ସ କୋର୍ସ ଉପରେ କଟକଣା ଲଗାଇବା ଦ୍ବାରା ଗରିବ ମେଧାବୀ ଛାତ୍ରଛାତ୍ରୀ ପ୍ରଫେସନାଲ କୋର୍ସ କରିବାରୁ ବାଦ ପଡିପାରନ୍ତି । ସେହିପରି ଘରୋଇ ଶିକ୍ଷାନୁଷ୍ଠାନଗୁଡିକୁ ଲାଭ ପହଞ୍ଚାଇବା ଲାଗି ମସୁଧା ହେଉଥିବା ଅଭିଯୋଗ ହୋଇଛି । ଘରୋଇ ଶିକ୍ଷାନୁଷ୍ଠାନ ସହିତ ସରକାରଙ୍କର ଏହା ମଧୁଚନ୍ଦ୍ରିକାର ପ୍ରତିଫଳନ ବୋଲି କହିଛି ଛାତ୍ର କଂଗ୍ରେସ। ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଏହାର ବିରୋଧ କରାଯିବ ବୋଲି କହିଛି ସଂଗଠନ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ