ଭୁବନେଶ୍ବର: ଆସୁଛି ସାମୁଦ୍ରିକ ଝଡ । ଏହାର ପ୍ରଭାବରେ ୧୮ ଓ ୧୯ ତାରିଖରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦୁଇଦିନ ୬୦ ରୁ ୭୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷିବ । ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘନୀଭୂତ ଲଘୁଚାପ ବଳୟ ୧୨ ଘଣ୍ଟା ପରେ ଅଧିକ ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ବେଳକୁ ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି । ଏହି ସାମୁଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରେ ଏହା ନିଜର ଦିଗ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ୧୮, ୧୯ ତାରିଖ ଯାଏଁ ଗତି କରିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ୧୮ ତାରିଖ ବେଳକୁ ଅନେକ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏହାସହିତ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦକ୍ଷିଣ ଓଡିଶା ଉପକୂଳ ଅଞ୍ଚଳରେ ୧୮ ତାରିଖ ବେଳକୁ ଘୁର୍ଣ୍ଣିଝଡ ହେବା ସହ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ପବନ ବହିବ । ସେହିପରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ୧୯ ତାରିଖ ବେଳକୁ ପ୍ରାୟ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏହାସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ନିଙ୍ଗ ଜାରି ।