ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରୀ ନେଇ କଠୋର ହେବ କେନ୍ଦ୍ର । ଧାର୍ଯ୍ୟ ସମୟରେ ଘର ସମ୍ପୂର୍ଣ ନହେଲେ ରାଜ୍ୟକୁ ଦେବାକୁ ପଡ଼ିବ ଜରିମାନା । ଏହାକୁ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ଚିଠି ଲେଖିବା ପରେ ସରଗରମ ରହିଛି ରାଜ୍ୟ ରାଜନୀତି(Central govt issued letter for Awas Yojana) । ଏହାକୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସମର୍ଥନ କରିଥିବା ବେଳେ ପ୍ରତିକ୍ରିୟା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ।
କେନ୍ଦ୍ର ସରକାରଙ୍କ ଚିଠିକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଏହା ସମ୍ପୂର୍ଣ୍ଣ ଯଥାର୍ଥ । ଗରିବ ଲୋକଙ୍କ ସହ ଖେଳୁଥିବା ରାଜ୍ୟ ସରକାରକୁ ଏହା ସଠିକ ଉତ୍ତର । ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଚଳନରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛନ୍ତି । 2019 ମସିହା ପରଠୁ ଗୋଟିଏ ବି ଘରର ୱାର୍କ ଅର୍ଡର ଅନୁମୋଦନ କରାଯାଇନାହଁ । ହିତାଧିକାରୀ ତାଲିକା ଚୂଡାନ୍ତ କରାଯାଇନାହିଁ । ଲୋକମାନେ ଘର ପାଆନ୍ତୁ, ଏଥିପ୍ରତି ରାଜ୍ୟ ସରକାରଙ୍କର କୌଣସି ଇଚ୍ଛାଶକ୍ତି ନାହିଁ । ପରିସ୍ଥିତି ଅନୁଯାୟୀ ଏହା କେନ୍ଦ୍ର ସରକାରଙ୍କ ଏକ ଚାବୁକ ମାଡ଼ । ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବ ।"
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଣିକି ତତ୍ପରତାର ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରିବା ସହ ଘର ନଦେଲେ ଫଳାଫଳ ଭୋଗିବେ ରାଜ୍ୟ ସରକାର । ରାଜ୍ୟ ଯେଉଁ ଅପମାନଜନକ ସ୍ଥିତିରେ ପଡ଼ିବ ସେକଥା ରାଜ୍ୟ ସରକାର ବୁଝିବେ । ରାଜ୍ୟ ସରକାର ଯାହା କରିନାହାନ୍ତି ତାହା କରିବେ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।