ଭୁବନେଶ୍ବର:ଗରିବ ଓ ଅସହାୟ ଲୋକମାନଙ୍କୁ କମ୍ୟୁନିଟି କିଚେନ୍ ଯୋଜନା ମାଧ୍ୟମରେ (community kitchen scheme) ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଯୋଜନା ପ୍ରସ୍ତୁତ ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖାଦ୍ୟଯୋଗାଣ ମନ୍ତ୍ରୀମାନଙ୍କ ବୈଠକ କରିଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲ (Union consumer affairs minister Piyush Goyal) । ବୈଠକରେ ଯୋଗ ଦେଇଥିଲେ ଓଡ଼ିଶାର ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ବୈଠକରେ ଯୋଗ ଦେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି କ୍ଷୁଧାମୁକ୍ତ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ । ରାଜ୍ୟରେ ଜଣେ ବି ଗରିବ ଯେପରି ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ନହୁଅନ୍ତି, ସେ ନେଇ ସମୟୋଚିତ ପଦକ୍ଷେପ ନେଉଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ଯୋଗୁଁ ଓଡ଼ିଶାରେ ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରାଯାଇପାରିଛି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମରେ ଅନ୍ତର୍ଭୁକ୍ତ ହୋଇପାରିନଥିବା ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟର ନିଜସ୍ୱ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ଏହା ସହିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଦୁଃସ୍ଥ ଓ ଗରିବ ଲୋକଙ୍କର ଜୀବନଧାରଣ ମାନରେ ଉନ୍ନତି ଅଣାଯାଇଛି ।
ରାଜ୍ୟ ସରକାରଙ୍କ ନିଜସ୍ୱ ‘ଆହାର’ ଯୋଜନାରେ ସହରାଞ୍ଚଳରେ ଆହାର କେନ୍ଦ୍ର ଖୋଲାଯାଇ ଗରିବ ଓ ଅଭାବୀ ଲୋକଙ୍କୁ ସୁଲଭ ମୂଲ୍ୟରେ ରନ୍ଧାଖାଦ୍ୟ ନିୟମିତ ଯୋଗାଇ ଦିଆଯାଇଛି । ଏଥି ସହିତ ଦୁର୍ଦ୍ଦଶାଗ୍ରସ୍ତ ଲୋକମାନଙ୍କୁ ଆଇସିଡିଏସ୍ କେନ୍ଦ୍ର ମାଧ୍ୟମରେ ରନ୍ଧାଖାଦ୍ୟ ବିନା ମୂଲ୍ୟରେ ଦିଆଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆବଶ୍ୟକତା ଅନୁଯାୟୀ କମ୍ୟୁନିଟି କିଚେନ୍ ଖୋଲାଯାଇ ପ୍ରଭାବିତ ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସମ୍ବେଦନଶୀଳ ଗୋଷ୍ଠୀ ଯେଉଁମାନଙ୍କର ରନ୍ଧାଖାଦ୍ୟ ଯୋଗାଡ଼ କରିବା ପାଇଁ ସାମର୍ଥ୍ୟ ନାହିଁ ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଏଥି ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ସହରାଞ୍ଚଳର ଆଶ୍ରୟ ଗୃହଗୁଡ଼ିକୁ ଚିହ୍ନଟ କରି କମ୍ୟୁନିଟି କିଚେନ୍ ଖୋଲାଯାଇ ଗରିବଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ଉଚିତ ।
ସେହିପରି ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ଓ ଆଇସିଡିଏସ୍ କେନ୍ଦ୍ରଗୁଡ଼ିକରେ କମ୍ୟୁନିଟି କିଚେନ୍ ମାଧ୍ୟମରେ ଦୁଃସ୍ଥ ପିଲାମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ଆବଶ୍ୟକ । ଦିବ୍ୟାଙ୍ଗ ଓ ପିତୃମାତୃହୀନ ପିଲା, ଗୁରୁତର ରୋଗୀ ଯେପରି ସହଜରେ ଓ ସୁବିଧାରେ ନିୟମିତ ରନ୍ଧାଖାଦ୍ୟ ପାଇପାରିବେ ସେଥି ନିମନ୍ତେ ବିଶେଷ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର କାର୍ଯ୍ୟାନ୍ୱୟନର ନିୟମାବଳୀ ପ୍ରସ୍ତୁତି ଉପରେ ସେ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି ।