ଭୁବନେଶ୍ବର: ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଉଦ୍ଘାଟିତ । ପ୍ରଥମ ରାତିରେ ଜନଜାତି ନୃତ୍ୟରେ ଝୁମିଲେ ଦର୍ଶକ । ଆଦିମ ଜନଜାତିଙ୍କ ପାରମ୍ପାରିକ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ ଆଦିମ ଜନଜାତିର ନୃତ୍ୟଶିଳ୍ପୀ । ଆଉ ତାଙ୍କର ଏହି ନିଆରା ନୃତ୍ୟର ଧୂନରେ ବେଶ ମନ୍ତ୍ରମୁଗ୍ଧ ହୋଇଥିଲେ ଉପସ୍ଥିତ ଦର୍ଶକ । ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି ଆଦିମ ଜନଜାତି ନୃତ୍ୟ ମହୋତ୍ସବ । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷ ଏହି ନୃତ୍ୟ ମହୋତ୍ସବ ଦୁଇଦିନ ଧରି ଚାଲିବ । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଏହାକୁ ଉଦଘାଟନ କରିଥିଲେ ।
ଆଦିମ ଜନଜାତିଙ୍କ ସଂସ୍କୃତିର ସଂରକ୍ଷଣ ଓ ମୌଳିକତା ବଜାୟ ରହିଛି । ସେମାନଙ୍କର ନୃତ୍ୟ ଓ ସଂଗୀତ ପରିବେଶ ସହିତ ଜଡ଼ିତ । ଆଦିମ ଜନଜାତିଙ୍କ ସଂସ୍କୃତିର ସଂରକ୍ଷଣ କରିବା ଆମର ପ୍ରମୁଖ ଲକ୍ଷ୍ୟ ବୋଲି କହିଥିଲେ ପ୍ରମୁଖ ଶାସନ ସଚିବ । ଏହି ଅବସରରେ ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ଆଦିମ ଜନଜାତି ନୃତ୍ୟ ମହୋତ୍ସବର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ପି. ଅର୍ଥନାରୀ ଯୋଗଦେଇ କହିଥିଲେ ଯେ ଆଦିମ ଜନଜାତିଙ୍କ ଅନନ୍ୟ ନୃତ୍ୟଶୈଳୀ ଯେପରି ସମସ୍ତଙ୍କ ପାଖରେ ପହଞ୍ଚିପାରିବ ଆମେ ସେଥିପାଇଁ ପ୍ରୟାସ ଜାରି ରଖିଛୁ । ବିଭାଗୀୟ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଆଦିମ ଜନଜାତି ନୃତ୍ୟ ମହୋତ୍ସବରେ ପ୍ରତିଦିନ ୮ ଗୋଟି ନୃତ୍ୟ ପରିବେଷିତ ହେବ । ଗତକାଲିବଣ୍ଡା ଜନଜାତିଙ୍କ ଚଇତି ନୃତ୍ୟ, କୁଟିଆ କନ୍ଧଙ୍କ ଢାପ ନୃତ୍ୟ, ଡଙ୍ଗରିଆ କନ୍ଧଙ୍କ ବେଜୁନି ନୃତ୍ୟ, ଲାଞ୍ଜିଆ ସଉରାଙ୍କ କାନ୍ଦୁଲ ନୂଆ ନୃତ୍ୟ, ଚୁକୁଟିଆ ଭୁଞ୍ଜିଆଙ୍କ ନୂଆଖାଇ ନୃତ୍ୟ, ମାଙ୍କିରିଡ଼ିଆ ଜନଜାତିଙ୍କ ମାଘ ପରବ ନୃତ୍ୟ, ପାଉଡ଼ି ଭୂୟାଁଙ୍କ ବିହା ନୃତ୍ୟ, ଦିଦାୟୀ ଜନଜାତିଙ୍କ ଢେମ୍ସା ନୃତ୍ୟ ପରିବେଷିତ ହୋଇଥିଲା । ଆସନ୍ତାକାଲି ଲାଞ୍ଜିଆ ସଉରାଙ୍କ ବେଣ୍ଟ ନୃତ୍ୟ, ଲୋଧା ଜନଜାତିଙ୍କ ଝୁମର ନୃତ୍ୟ, ଡଙ୍ଗରିଆ କନ୍ଧଙ୍କ ଧାଙ୍ଗଡ଼ା-ଧାଙ୍ଗଡ଼ା ନୃତ୍ୟ, ଜୁଆଙ୍ଗମାନଙ୍କ ଚାଙ୍ଗୁ ନୃତ୍ୟ, ପାଉଡ଼ି ଭୂୟାଁଙ୍କ ବିସ୍ରି ନୃତ୍ୟ, କୁଟିଆ କନ୍ଧଙ୍କ ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ, ସଉରା ଜନଜାତିଙ୍କ ଚଇତି ନୃତ୍ୟ ପରିବେଷିତ ହୋଇଥିଲା ।