ଭୁବନେଶ୍ବର: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ ହୋଇଛି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଗ୍ରାମାଞ୍ଚଳର ଯୋଗ୍ୟ 20 ଲକ୍ଷ ପରିବାରକୁ ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ 9 ଜଣ ହିତାଧିକାରୀଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ବଣ୍ଟା ଯାଇଛି । ଯେଉଁମାନଙ୍କୁ ପ୍ରାଥମିକତା ଭିତ୍ତିରେ ପର୍ଯ୍ୟାୟକ୍ରମେ ପକ୍କାଘର ଯୋଗାଇ ଦିଆଯିବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଆଗାମୀ 4 ବର୍ଷ ମଧ୍ୟରେ 20 ଲକ୍ଷ ପରିବାରକୁ ପକ୍କାଘର ଯୋଗାଇ ଦିଆଯିବ ।
‘ଆମ ଘର ମୋବାଇଲ ଆପ’ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ କରାଯାଇଛି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ ନିମନ୍ତେ ରାଜ୍ୟ ସରକାର 4 ଟି ବିଭାଗ ବିଦ୍ୟାଳୟ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଣୀ ଚିକିତ୍ସାଳୟ, ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପଞ୍ଚାୟତିରାଜ ବିଭାଗ ଦ୍ବାରା ପରିଚାଳନା କରାଯିବ ।