ଭୁବନେଶ୍ବର:ପୌରସଂସ୍ଥାଗୁଡିକୁ ସହରୀ ଯୋଜନାରେ ପାରଦର୍ଶିତା ଆଣିବା ପାଇଁ ସରକାର ପ୍ରଚଳିତ ବିଧି ବ୍ୟବସ୍ଥାରେ ସଂଶୋଧନ କରିଛନ୍ତି । ତେଣୁ ପୌରସଂସ୍ଥାରେ କାର୍ଯ୍ୟରତ ଅଧିକାରୀମାନଙ୍କର ଦକ୍ଷତା ବୃଦ୍ଧି କରିବା ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି । କୋଠାବାଡି ଯୋଜନା ଅନୁମୋଦନ ତଥା ଅଣଯୋଜନାକୃତ ସହରୀ ବିକାଶକୁ ନିୟନ୍ତ୍ରିତ କରିବା ନିମନ୍ତେ ବିଭିନ୍ନ ଆଇନଗତ ତଥା ବୈଷୟିକ ଦିଗଗୁଡିକ ଉପରେ ତାଲିମ ଦିଆଯାଉଛି ।
କୋଠାବାଡି ପ୍ଲାନ ମଞ୍ଜୁରୀ ପାଇଁ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରିବେ ପୌରସଂସ୍ଥା ଯନ୍ତ୍ରୀ ତାଲିମ କର୍ମଶାଳାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥୁଭାଥନନ ଉଦଘାଟନ କରିଛନ୍ତି । ସେ କହିଛନ୍ତି ଯେ, ସେବା ପ୍ରଦାନ କରିବାରେ ପାରଦର୍ଶିତା ଏବଂ ସ୍ଵଚ୍ଛତା ମାଧ୍ୟମରେ ଜନସାଧାରଣଙ୍କୁ ସୁବିଧା ଯୋଗାଇବା ସରକାରଙ୍କର ଲକ୍ଷ୍ୟ । ଏହାକୁ ସୁନିଶ୍ଚିତ କରିବା ଏବଂ ସରକାରୀ କାର୍ଯ୍ୟ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଉପରେ ଗୁରୁତ୍ଵ ଦିଆଯାଉଛି । ଏଥିସହିତ ସରକାରୀ ସଂସ୍ଥା ଉପରେ ସର୍ବସାଧାରଣଙ୍କ ଆସ୍ଥା ବଜାୟ ରଖିବା ନିମନ୍ତେ ଅଧିକାରୀମାନଙ୍କ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ନିତାନ୍ତ ଆବଶ୍ୟକ । ମୋ ସରକାର କାର୍ଯ୍ୟକ୍ରମରେ କିଭଳି ନାଗରିକଙ୍କ ମତାମତ ସିଧାସଳଖ ଫୋନରେ ଗ୍ରହଣ କରାଯାଉଛି ସେହି ବିଷୟରେ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ।
ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ କହିଛନ୍ତି ଯେ, ପୌରସଂସ୍ଥାମାନଙ୍କୁ ସହରୀ ଯୋଜନା କ୍ଷମତା ପ୍ରଦାନ କରାଯିବା ଏକ ସମୋୟୋଚିତ ଉଦ୍ୟମ । ଏହା ମୁଖ୍ୟମନ୍ତ୍ରୀଙ୍କର ମହତ ଉଦ୍ଦେଶ୍ୟର ପ୍ରତିଫଳନ । ୫ଟି ମନ୍ତ୍ର ସହ ସମନ୍ଵୟ ରକ୍ଷା କରିବାରେ ଏହା ସହାୟକ ହେବ । ସମସ୍ତ ୧୧୫ ଟି ପୌରସଂସ୍ଥାର ଉପସ୍ଥିତ ଅଧିକାରୀମାନଙ୍କୁ ସେ ତାଗିଦ କରିଛନ୍ତି । କହିଛନ୍ତି ଯେ, କ୍ଷମତା ଅର୍ଥ ଅଧିକ ଦାୟିତ୍ଵ । ଯେଉଁ କାର୍ଯ୍ୟ ଦିଆଯାଇଛି ତାହା ସେମାନେ କିଭଳି ନିର୍ବାହ କରିବେ ତା’ ଉପରେ ସମସ୍ତଙ୍କର ନଜର ରହିବ । ଅତିରିକ୍ତ ଶାସନ ସଚିବ ସୁଶାନ୍ତ ମିଶ୍ର ସହରୀ ଯୋଜନା ସେବାର ବ୍ୟବହାରିକ ଦିଗଗୁଡିକ ଉପରେ ଆଲୋକପାତ କରିଛନ୍ତି । ନାଗରିକମାନଙ୍କ ପାଇଁ କିଭଳି ଏକ ସମ୍ପୂର୍ଣ ସ୍ଵୟଂଚାଳିତ ଏବଂ କମ୍ପ୍ୟୁଟରୀକୃତ କୋଠାବାଡି ନିର୍ମାଣ ଯୋଜନା ଅନୁମୋଦନ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି ତାହା ସେ ଜଣାଇଛନ୍ତି ।
ଏହି ତାଲିମ କର୍ମଶାଳାରେ କିଟ୍ ବିଶ୍ଵବିଦ୍ୟାଳୟର ସ୍ଥାପତି ଏବଂ ଯୋଜନା ବିଭାଗର ମୁଖ୍ୟ ପ୍ରଫେସର ସୌମେନ୍ଦ୍ର ଏସ୍. ରାୟ ଏବଂ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ସ୍ଥାପତି ବିଭାଗ ମୁଖ୍ୟ ରାଜ୍ କୁଅଁର ନାୟକ ଉପସ୍ଥିତ ଥିଲେ । ତାଲିମ ଗ୍ରହଣ କରୁଥିବା ଏହି ନୋଡାଲ ପୌର ଯନ୍ତ୍ରୀମାନେ ନିଜ ନିଜ କାର୍ଯ୍ୟାଳୟରେ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ । ବୈଷୟିକ ସହାୟତା ଯୋଗାଇ ଦେବେ । ପୌରସଂସ୍ଥାମାନଙ୍କୁ ସହରୀ ଯୋଜନା ନିମନ୍ତେ କ୍ଷମତା ପ୍ରଦାନ କରାଯିବା ପାଇଁ ଖୁବ୍ଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ