ଭୁବନେଶ୍ବର: ମହିଳାଙ୍କ ଉପରେ ବିଜେଡିର ଫୋକସ୍ । ଦଳର ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗରେ ମହିଳାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ ଦେଇଛନ୍ତି । ସଙ୍ଗଠନକୁ ମଜବୁତ କରିବା ଲାଗି ଅଭିଜ୍ଞ ଓ ଯୁବ ବର୍ଗଙ୍କୁ ଗୁରୁତ୍ୱ ଦେଇଛନ୍ତି ନବୀନ । ସମସ୍ତଙ୍କୁ ସନ୍ତୁଷ୍ଟ କରିବା ନୀତିରେ ନୂଆ ପଦ ସୃଷ୍ଟି କରି ଥଇଥାନ ବା ଦାୟିତ୍ବ ଦେଇଛି ଦଳ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ।
ବିଜୁ ମହିଳା ଜନତା ଦଳରେ ନୂଆ ନିଯୁକ୍ତି, 3 ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ବ - ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ରାଜ୍ୟ ବିଜେଡି କାର୍ଯ୍ୟାଳୟର ବିଭିନ୍ନ ପଦବୀରେ ମହିଳାଙ୍କୁ ନିଯୁକ୍ତି ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...
ଆଜି(ରବିବାର) ବିଜେଡି ଉପଦେଷ୍ଟା, କାର୍ଯ୍ୟକାରୀ ସଭାପତି, ସମ୍ପାଦକ ଜେନେରାଲ, ରାଜ୍ୟ କୋଷାଧ୍ୟକ୍ଷ, ସୋସିଆଲ ମିଡ଼ିଆ ସଂଯୋଜକ, ଜୋନ୍ ସଭାପତି, ବରିଷ୍ଠ ଉପ-ସଭାପତି, ଉପ ସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକଙ୍କ ତାଲିକା ଜାରୀ କରିଛି ଦଳ । ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିସ୍ କ୍ରମେ ନୂଆ ନିଯୁକ୍ତିରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ।
ଦଳର ରାଜ୍ୟ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବେ 4 ଜଣଙ୍କୁ ନିଯୁକ୍ତି ଦେଇଛି ଦଳ । ଏହି ଲିଷ୍ଟରେ ଜଣେ ଲେଖାଏଁ ସାଂସଦ, ପୂର୍ବତନ ସାଂସଦ, ବିଧାୟକ ଓ ପୂର୍ବତନ ବିଧାୟକ ଅଛନ୍ତି । ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଯାଜପୁରର ପୂର୍ବତନ ସାଂସଦ ରୀତା ତରାଇ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ନିଯୁକ୍ତ କରାଯାଇଛି ।
ସେହିଭଳି କାର୍ଯ୍ୟକାରୀ ସଭାପତି ଭାବେ 3 ଜଣଙ୍କୁ ନିଯୁକ୍ତି ଦେଇଛି ଦଳ । ସୁଭାଶିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ରାଜନୀତିରୁ ସିଧାସଳଖ ରାଜ୍ୟ ରାଜନୀତିକୁ ଲମ୍ଫ ମରିଛନ୍ତି ସୁଭାଶିନୀ ଜେନା । ସୁଭାଶିନୀ ଜେନା ହେଉଛନ୍ତି ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ପତ୍ନୀ ତଥା ଜିଲ୍ଲାର ଜଣାଶୁଣା ସମାଜସେବୀ । 2019 ସାଧାରଣ ନିର୍ବାଚନ ଓ ବାଲେଶ୍ବର ଉପ ନିର୍ବାଚନରେ ସେ ପ୍ରାର୍ଥୀ ହେବା ସର୍ବାଧିକ ଚର୍ଚ୍ଚାରେ ଥିଲେ । ସେହିପରି ମହିଳା ଏବଂ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ତଥା ଦଳୀୟ ମୁଖପାତ୍ର ସୁଲତା ଦେଓଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛି ଦଳ ।
ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦକ ଭାବେ କସ୍ତୁରୀ ମହାପାତ୍ର, ରାଜ୍ୟ କୋଷାଧ୍ୟକ୍ଷ ଜୟଶ୍ରୀ ଦାସ, ସୋସିଆଲ୍ ମିଡିଆ କୋର୍ଡିନେଟର ଭାବେ ମାନସୀ ସୁନ୍ଦରାୟଙ୍କୁ ନିଯୁକ୍ତ କରାଯାଇଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗୀର ଆଦି ୫ଟି ଜୋନରେ ସଭାପତି ସହ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି । ଗଞ୍ଜାମ ଓ କୋରାପୁଟ ଜୋନରେ ସଭାପତିଙ୍କୁ ମଧ୍ୟ ନିଯୁକ୍ତ ମିଳିଛି ।
ବରିଷ୍ଠ ଉପସଭାପତି ଭାବେ ୯ ଜଣଙ୍କୁ ନିଯୁକ୍ତ କରାଯାଇ ଥିବାବେଳେ ଉପସଭାପତି ଭାବେ ୨୭ ଜଣ, ସାଧାରଣ ସମ୍ପାଦକ ଭାବେ ୩୫, ସମ୍ପାଦକ ଭାବେ ୩୬, ଯୁଗ୍ମ ସମ୍ପାଦକ ଭାବେ ୨୮ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ୩୩ଟି ସାଙ୍ଗଠନିକ ଜିଲ୍ଲାରେ ୩୩ ଜଣଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି । ବିଜୁ ମହିଳା ଜନତା ଦଳର ଏକ୍ଜିକ୍ୟୁଟିଭ୍ ବଡି ମେମ୍ବର ଭାବେ ୬୯ ଜଣଙ୍କୁ ନିଯୁକ୍ତ କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ