ଭୁବନେଶ୍ବର: ସରକାର ରାଜ୍ୟରେ କୋରୋନା ଭୂତାଣୁ ସଂକ୍ରମଣ (କୋଭିଡ୍-୧୯) ପ୍ରତିରୋଧ କ୍ଷେତ୍ରରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିବାବେଳେ କେନ୍ଦ୍ର ସରକାର ମଧ୍ୟ ନୟିମିତ ବ୍ୟବଧାନରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଆବଶ୍ୟକୀୟ ପରାମର୍ଶ ମଧ୍ୟ ଦେଉଛନ୍ତି । ରାଜ୍ୟ ସରକାର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ୍ଗୁଡିକରେ କୋଭିଡ୍-୧୯ର ଚିକିତ୍ସା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି, ଏମ୍କେସିଜି ଓ ଭିମ୍ସାରେ କୋଭିଡ୍-୧୯ ପରୀକ୍ଷା କେନ୍ଦ୍ର ଦାବି ଅନ୍ୟପକ୍ଷରେ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଅଧୀନରେ ଆସୁଥିବା ଇଏସ୍ଆଇ, ନାଲ୍କୋ, ଏମ୍ସିଏଲ୍ ସହିତ ଭୁବନେଶ୍ବରସ୍ଥିତ ଏମ୍ସକୁ କୋଭିଡ୍-୧୯ର ଚିକିତ୍ସା କ୍ଷେତ୍ରରେ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏହି ଚିଠିରେ କେନ୍ଦ୍ର ସରକାର ଭୁବନେଶ୍ବରର ଆର୍ଏମ୍ଆର୍ସି, ଏମ୍ସ ସହ କଟକର ଏସ୍ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ କୋଭିଡ୍-୧୯ ପରୀକ୍ଷା ବ୍ୟବସ୍ଥା ସଂପ୍ରସାରଣ କରିଥିବାରୁ ମନ୍ତ୍ରୀ ଧନ୍ୟବାଦ ପ୍ରଦାନ କରିଛନ୍ତି ।
ତେବେ ଭୁବନେଶ୍ବର ଓ କଟକ ମଧ୍ୟରେ କୋଭିଡ୍-୧୯ର ପରୀକ୍ଷା ସୁବିଧା ସୀମିତ ଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତଥା ଦୂରଦୂରାନ୍ତ ଅଞ୍ଚଳର ଜନସାଧାରଣ ଏହି ପରୀକ୍ଷା ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଅନୁରୋଧ କରିଛନ୍ତି କି, କୋଭିଡ୍-୧୯ ପରୀକ୍ଷା ସୁବିଧା ବ୍ରହ୍ମପୁରର ଏମ୍କେସିଜି ମେଡିକାଲ୍ କଲେଜ୍ ଓ ବୁର୍ଲାର ଭିମ୍ସାର ପାଇଁ ବ୍ୟବସ୍ଥା କଲେ ସାରା ରାଜ୍ୟର ଜନସାଧାରଣ ଉପକୃତ ହୋଇପାରିବେ । ଏହା ସହିତ ଭେଣ୍ଟିଲେଟର, ପିପିଇ, ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏସବୁ ଯୋଗାଇଦେଲେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆର୍ଜିଏଚ୍, ରାଉରକେଲା ହସ୍ପିଟାଲ୍ରେ ରୋଗୀ ସେବା ଓ ଚିକିତ୍ସାରେ ସହାୟକ ହୋଇପାରିବ ।
ରାଜ୍ୟରେ କୋଭିଡ୍-୧୯ ପରୀକ୍ଷଣ ପାଇଁ ଆବଶ୍ୟକ କିଟ୍ର ଅଭାବ ରହିଛି । ତେଣୁ ଏ ଦିଗରେ ପ୍ରାଥମିକତା ଦେଇ ପରୀକ୍ଷଣ କିଟ୍ର ଯୋଗାଣ ନିଶ୍ଚିତ କରିବା ଦିଗରେ ମନ୍ତ୍ରୀ ଅନୁରୋଧ କରିଛନ୍ତି । ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ‘କୋଭିଡ୍-୧୯ ପରୀକ୍ଷଣ ବ୍ୟବସ୍ଥା ବୃଦ୍ଧି, ଭେଣ୍ଟିଲେଟର ଯୋଗାଣ, କେନ୍ଦ୍ର ସରକାରୀ ଉଦ୍ୟୋଗ ଅଧୀନରେ ଆସୁଥିବା ହସ୍ପିଟାଲ୍ଗୁଡିକର ଆବଶ୍ୟକତା ପୂରଣ ସହ ପିପିଇ, ପରୀକ୍ଷଣ କିଟ୍, ମାସ୍କ ଓ ସାନିଟାଇଜର ଯୋଗାଣ ଦିଗରେ ଗୁରୁତ୍ବ ପ୍ରଦାନ କଲେ ରାଜ୍ୟର କୋଭିଡ୍-୧୯ ଚିକିତ୍ସାରେ ସୁଧାର ଆସିପାରିବ ।’
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ