ଭୁବନେଶ୍ବର : ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ । ବିଦ୍ୟୁତ ବିତରଣ କମ୍ପାନୀକୁ ଲାଭ ଦେଇ ଦଳୀୟ ପାଣ୍ଠି ସଂଗ୍ରହ କରୁଛନ୍ତି ସରକାର । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଏ ଭଳି ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏନେଇ ଦର ବୃଦ୍ଧି ପ୍ରତ୍ୟାହାର ନହେଲେ ଆସନ୍ତା ସପ୍ତାହରୁ ରାଜ୍ୟ ବ୍ୟାପି ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ।
କୋରନା କାଳରେ ସମସ୍ତଙ୍କର ଆୟ କମିଛି । ବିଶେଷ କରି ଗରିବ, ମଜଦୂର, ନିମ୍ନ ମଧ୍ୟବିତ୍ତ ପରିବାର ଲୋକ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ଏପଟେ ସରକାର ବାରମ୍ବାର ବିଦ୍ୟୁତ ଦର ବୃଦ୍ଧି କରି ଚାଲିଛନ୍ତି । 6 ମାସ ତଳେ 20 ପଇସା ଆଉ ଏବେ 30 ପଇସା ବୃଦ୍ଧି କରିଛନ୍ତି । ଫଳରେ ସବୁ ବର୍ଗର ଉପଭୋକ୍ତା କ୍ଷତିଗ୍ରସ୍ତ ହେବେ । ବିଦ୍ୟୁତ ବିତରଣ କ୍ଷେତ୍ରରେ ସରକାର ସମୁର୍ଣ୍ଣ ଭାବେ ନିୟନ୍ତ୍ରଣ ହରାଇ ବସିଛନ୍ତି । ବିଦ୍ୟୁତ ବିତରକ କମ୍ପାନୀକୁ ଲାଭ ଦେଇ ସରକାର ଦଳୀୟ ପାଣ୍ଠି ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।