ଭୁବନେଶ୍ବର: ନିକଟରେ ସରକାର ବିଦ୍ୟୁତ ବଣ୍ଟନ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ସେସୁ (CESU)ର ଘରୋଇକରଣ କରି ତାହାର ଦାୟିତ୍ବ ଟାଟା ଗ୍ରୁପକୁ ପ୍ରଦାନ କରିଛନ୍ତି । ଯାହାକୁ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି । ଏହାସହ ଏହାର ପ୍ରତିବାଦରେ ଆସନ୍ତା 30 ତାରିଖରେ ବିଦ୍ୟୁତ ନିୟାମକ ଆୟୋଗ ଘେରାଉ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
ସେସୁର ପୁନଃ ଘରୋଇକରଣକୁ ବିରୋଧ ଅତୀତରେ ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ଘରୋଇ କମ୍ପାନୀକୁ ଦାୟିତ୍ବ ଦିଆଯାଇଥିବା ବେଳେ କୌଣସି ପ୍ରକାର ଆଖିଦୃଶିଆ ସଫଳତା ମିଳି ନ ଥିବା ସତ୍ତ୍ବେ ପୁଣି ଥରେ ରାଜ୍ୟ ସରକାର ଏହାର ଘରୋଇ କରଣ କରିବା ପାଇଁ ଯାଉଛନ୍ତି । ସେସୁର ଅଧ୍ୟକ୍ଷଙ୍କୁ ନଜଣାଇ ଏପରି ତରବରିଆ ଭାବେ ଘରୋଇକରଣ କାରାଯାଉଥିବା ନେଇ ମଞ୍ଚ ପକ୍ଷରୁ ସନ୍ଦେହ ପ୍ରକଟ କରାଯିବ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମଧ୍ୟ ଦାବି କରାଯାଇଛି ।
ସେସୁ 4 ହଜାର କୋଟି ଟଙ୍କାର ଏକ ସଂସ୍ଥା ହୋଇଥିବା ବେଳେ ଏହାର ଅଧ୍ୟକ୍ଷ ଏଥିରେ ସୁଧାର ପାଇଁ ପଦକ୍ଷେପ ଗ୍ରହଣ କରୁଥିଲେ । କିନ୍ତୁ ଏହି ସମୟରେ ତାକୁ ଏପରି ଶାଗମାଛ ମୂଲ୍ୟରେ ଘରୋଇ କମ୍ପାନୀକୁ ଟେକି ଦେବାରେ କୌଣସି ନା କୌଣସି ବଡ଼ ଧରଣର ଘୋଟାଲା ହୋଇ ଥିବା ସନ୍ଦେହ ଥିବା ମଞ୍ଚ ପକ୍ଷରୁ କୁହାଯାଇଛି । ଯାହା ଫଳରେ ରାଜ୍ୟର ବିଦ୍ୟୁତ ଉପଭୋକ୍ତା ଆଗାମୀ ଦିନରେ ଏହି ବୋଝ ସମ୍ଭାଳିବା ସହିତ କମ୍ପାନୀ ଲାଭବାନ ହେବ ବୋଲି କୁହାଯାଇଛି। ଏପରିକି ସେସୁର କର୍ମଚାରୀଙ୍କ ଭବିଷ୍ୟତ, ସେମାନଙ୍କ ବକେୟା ପାଉଣା ଆଦି ଦେବା କ୍ଷେତ୍ରରେ କୌଣସି ଆଲୋଚନା ନ କରି ସରକାର ଏପରି ନିଷ୍ପତ୍ତି ନେଇଥିବାରୁ ମଞ୍ଚ ପକ୍ଷରୁ ଶନିବାର ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଏହାର ଉତ୍ତର ଦେବାକୁ ଦାବି କରାଯାଇଛି।
ତେଣୁ ଆଗାମୀ 30 ତାରିଖରେ ବିଦ୍ୟୁତ ନିୟାମକ ଆୟୋଗ ଘେରାଉ କରାଯାଇ ଏହାର ଉତ୍ତର ମଗାଯିବ । ସରକାର କୌଣସି ଉତ୍ତର ନଦେଲେ ଆସନ୍ତା ଜାନୁୟାରୀ 8 ତାରିଖରେ ବିଦ୍ୟୁତ ଘରୋଇକରଣ ବିରୁଦ୍ଧରେ ସର୍ବଭାରତୀୟ ବିକ୍ଷୋଭରେ କର୍ମଚାରୀ ଓ ଇଞ୍ଜିନିୟର ମାନେ ସାମିଲ ହେବେ ବୋଲି କହିଛନ୍ତି ମଞ୍ଚର ଆବାହକ ଜତୀନ୍ଦ୍ର କୁମାର ରାୟ । ସେହିପରି ପ୍ରଶାନ୍ତ କୁମାର ମହାପାତ୍ର ଏହାର ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ