ଭୁବନେଶ୍ବର: ଓଡିଶା ପୋଲିସର କ୍ରାଇମବ୍ରାଞ୍ଚକୁ ନେଇ ହଇଚଇ । ପରୀ ହତ୍ୟାକାଣ୍ଡ ପରେ ପୁଣି ଚର୍ଚ୍ଚାକୁ ଆସିଛି ରାଜ୍ୟ ପୋଲିସର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା । ହେଲେ କେତେ ଭରସାଯୋଗ୍ୟ କ୍ରାଇମବ୍ରାଞ୍ଚ ? ଯାହାର ତଦନ୍ତକୁ ନେଇ ଏବେ ଉଠୁଛି ଅନେକ ପ୍ରଶ୍ନ ?
ପିପିଲି, ଇତିଶ୍ରୀ, ପାରଳା ଗଣହତ୍ୟା ଓ ଆଦିତ୍ୟ ଦାସ ମୃତ୍ୟୁ ମାମଲା ପରି ଅନେକ ହାଇପ୍ରୋଫାଇଲ ମାମଲାର ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ପିପିଲି ଓ ଇତିଶ୍ରୀ ଘଟଣାର ତଦନ୍ତ ସମସ୍ତଙ୍କ ସାମ୍ନାରେ ଥିବାବେଳେ ପାରଳାରେ କେଉଁ କାରଣରୁ 4 ଜଣ ଆତ୍ମହତ୍ୟା କଲେ ତାହାର ସୁରାକ ଏଯାବତ ମିଳିନି । ସେହିପରି ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ କେବଳ ହତ୍ୟା ନୁହେଁ ଆତ୍ମହତ୍ୟାର ଷ୍ଟାଟସ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ହେଲେ ଘଟଣାର ଆସୁନି ପୁରା ଚିତ୍ର । ଯାହାକୁ ନେଇ ସିବିଆଇ ତଦନ୍ତର ଡିମାଣ୍ଡ କରିଛନ୍ତି ଆଦିତ୍ୟଙ୍କ ଏନଜିଓ ସଂସ୍ଥାର ଆଇନଜୀବୀ ।
କ୍ରାଇମବ୍ରାଞ୍ଚ 12 ବର୍ଷରେ ନେଇଥିବା ଅନେକ କେସର ତଦନ୍ତ ସରୁନି । ତଥ୍ୟ କହୁଛି, 2007ରୁ 2019ଜୁଲାଇ ମଧ୍ୟରେ କ୍ରାଇମବ୍ରାଞ୍ଚ ନେଇଛି 345ଟି ମାମଲା । ହେଲେ ମାତ୍ର 168ଟି କେସ୍ର ତଦନ୍ତ ସରିଛି । 177ଟି ମାମଲାର ତଦନ୍ତ ଏବେ ବି ବାକି ପଡିଛି । ସମୁଦାୟ ମାମଲାରୁ 309ଟି କେସ୍ ଥାନାରୁ ଆସିଥିବାବେଳେ ଗୃହ ବିଭାଗର ନିର୍ଦ୍ଦେଶରେ 36 ଟି ହାଇପ୍ରୋଫାଇଲ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।