ଓଡିଶା

odisha

ETV Bharat / city

କୋଭିଡ ସ୍ଥିତି ସମୀକ୍ଷା କଲେ ନବୀନ, କଟକଣା ମାନିବାକୁ ଅପିଲ୍ - Covid19 latest news

ରାଜ୍ୟର କୋରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସ୍ଥିତିର ସମୀକ୍ଷା କରି ଏହାର ଦୃଢ଼ ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାମ କରିବାକୁ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କୋରୋନା କଟକଣାକୁ ମାନିବାକୁ ଲୋକଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

CM Naveen Pattanik
ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

By

Published : Apr 27, 2021, 7:48 PM IST

Updated : Apr 27, 2021, 9:03 PM IST

ଭୁବନେଶ୍ବର: ରାଜ୍ୟର କୋରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସ୍ଥିତିର ଦୃଢ଼ ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାମ କରିବାକୁ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନ ସଚିବ ଏହିସବୁ କାର୍ଯ୍ୟର ତଦାରଖ କରି ପରବର୍ତ୍ତୀ ବୈଠକରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ସ୍ଥିତିରେ କିଛି ବ୍ୟବସାୟୀ ସଙ୍ଗଠନ ବାଣିଜ୍ୟ ସମୟସୀମା ହ୍ରାସ କରି କୋଭିଡ ପରିଚାଳନାରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ଏହିଭଳି ସଂଗଠନଗୁଡିକୁ କୋଭିଡ ପରିଚାଳନାରେ ଅଂଶୀଦାର କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଲୋକଙ୍କ ଜୀବନ ରକ୍ଷା ପାଇଁ ପର୍ଯ୍ୟାପ୍ତ ଔଷଧ, ଅମ୍ଳଜାନ ଠିକ ସମୟରେ ଯୋଗାଇଦେବା ସହ ଏହାର ସୁବନ୍ଦୋବସ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । କରୋନାର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବାକୁ କୋଭିଡ ନିୟମର କଡ଼ା ଅନୁପାଳନ ସହ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତିଟି ବହୁମୂଲ୍ୟ ଜୀବନର ସୁରକ୍ଷା ପାଇଁ ଆମ ଡାକ୍ତର, ମେଡ଼ିକାଲ କର୍ମଚାରୀମାନେ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ନିଷ୍ଠାପର ସେବାକୁ ସମ୍ମାନ ଜଣାଇବା ସହ କୋଭିଡ ଯୁଦ୍ଧକୁ ଆହୁରି ଦୃଢ଼ କରିବାକୁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ସହ ଏକ ସଚେତନ ନାଗରିକର ଦାୟିତ୍ୱ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି ।

ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ICU ଓ ଗୋଟିଏ ବେଡ୍‌ ଉପରୁ ଚାପ କମିଥାଏ । ଯାହାଦ୍ବାରା ଜୀବନ ମରଣ ପରିସ୍ଥିତିର ଯନ୍ତ୍ରଣାକୁ ଦୂରେଇ ହୋଇଥାଏ । ରାଜ୍ୟ ସରକାର କୋଭିଡ ରୋଗୀମାନଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ ଦିନରାତି ଏକ କରି ସେବା ଜାରି ରଖିଛନ୍ତି । ଏଥିପାଇଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଯେପରି ଚାପ କମ୍‌ ରହିବ, ସେଥିପାଇଁ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ କାମ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସାରା ଦେଶ ବର୍ତ୍ତମାନ ଏକ ଗୁରୁତର ସଂକଟ ମଧ୍ୟ ଦେଇ ଗତି କରୁଛି । ବଡ ବଡ ସହର ଓ ମେଟ୍ରୋ ମାନଙ୍କରେ ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ଚାପଗ୍ରସ୍ତ । ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସଂକ୍ରମଣ ସଂଖ୍ୟା ବୃଦ୍ଧି ସତ୍ତ୍ବେ ଆମେ ନିରନ୍ତର ଭାବେ ସେବା କରିଚାଲିଛୁ । କିନ୍ତୁ କେତେକ ଜିଲ୍ଲାରେ ସଂକ୍ରମଣର ସ୍ଥିତି ଉଦ୍‌ବେଗ ସୃଷ୍ଟି କରିଛି । ଭାଇରସ୍‌ର double ଓ triple mutant ଦ୍ରୁତ ଗତିରେ ବ୍ୟାପୁଛି । ଦ୍ବିତୀୟ ଲହରରେ ଯୁବଗୋଷ୍ଠୀ ବିଶେଷ ଭାବରେ ସଂକ୍ରମିତ ହେଉଛନ୍ତି । କେତେକ କ୍ଷେତ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ଜଟିଳତା ଦେଖା ଦେଉଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୟରେ ଆମେ ଯେଉଁ ନୀତି ଅବଲମ୍ବନ କରିଆସିଛେ, ସେହିପରି କୋଭିଡର ମୁକାବିଲାରେ ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଆମ ପ୍ରସ୍ତୁତ ରହିବା ଦରକାର । ଏହି ପରିପ୍ରେକ୍ଷୀରେ ତୃଣମୂଳ ସ୍ତରରେ ପରିସ୍ଥିତିର ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡର ଚିକିତ୍ସାରେ ଅକ୍‌ସିଜେନର ଗୁରୁତ୍ବ ସବୁଠାରୁ ଅଧିକ । ତେଣୁ ଅକ୍‌ସିଜେନ ଯୋଗାଣ ଯେପରି ସୁବ୍ୟବସ୍ଥିତ ଭାବରେ ଜାରି ରହିବ, ତାହାର ତଦାରଖ କରିବା ସହିତ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପରିମାଣର ଅକ୍‌ସିଜେନ ଯେପରି ରୋଗୀ ପାଖରେ ପହଞ୍ଚି ପାରିବ, ସେଥିପ୍ରତି ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଜରୁରୀ ଔଷଧ ମହଜୁଦ ରଖିବା ଏବଂ ତାହାର ଯୋଗାଣ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। କୋଭିଡ କେୟାର ସେଣ୍ଟର ଗୁଡିକୁ କ୍ରିୟାଶୀଳ କରାଯିବା ସହିତ ସମସ୍ତ କୋଭିଡ ହସ୍ପିଟାଲ ଗୁଡିକୁ କାର୍ଯ୍ୟକ୍ଷମ କରାଯାଇଛି । ମେଡିକାଲ କଲେଜ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ନୂଆ ବେସରକାରୀ ହସ୍ପିଟାଲ ଗୁଡିକୁ କୋଭିଡ ହସ୍ପିଟାଲରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ୩୦ ପ୍ରତିଶତ ଶଯ୍ୟାରେ ଅକ୍‌ସିଜେନ ବ୍ୟବସ୍ଥା କରାଯାଇଛି । ଏହାକୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।ପଡୋଶୀ ରାଜ୍ୟ ଗୁଡିକରେ ଅଧିକ କୋଭିଡ ସଂଖ୍ୟା ଥିବାରୁ ସେ ସବୁ ରାଜ୍ୟରୁ ଲୋକଙ୍କ ଚଳାଚଳ ଉପରେ ତୀକ୍ଷଣ ନଜର ରଖାଯାଇଛି । ଖୁବଶୀଘ୍ର ଶଯ୍ୟା ଉପଲବ୍ଧତାକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ Online Real-time Bed Management System କାର୍ଯ୍ୟକାରୀ କରାଯିବ ବୋଲି ସୁରେଶ କହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ୫୦,୯୫୮ ଆକ୍ଟିଭ କେସ ଅଛି । ୭ଟି ଜିଲ୍ଲାରେ ୬୦ ପ୍ରତିଶତ ଆକ୍ଟିଭ କେସ ରହିଛି । ବର୍ତ୍ତମାନ ରାଜ୍ୟରେ ସମୁଦାୟ ୩୧,୪୭୧ଟି ବେଡ୍‌ ରହିଛି । ICU bed ବ୍ୟତୀତ ୧୭,୪୯୫ଟି ବେଡ୍‌ରେ ଅକ୍‌ସିଜେନର ବ୍ୟବସ୍ଥା କରାଯାଇଛି । ଉଭୟ ସରକାରୀ ଓ ବେସରକରୀ କୋଭିଡ ହସ୍ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ ସଂଖ୍ୟକ ଶଯ୍ୟାରେ ଅକ୍‌ସିଜନ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି ।ରାଜ୍ୟରେ ବର୍ତ୍ତମାନ ଦୈନିକ ୪୨.୧୦ ମେଟ୍ରିକ ଟନ୍‌ ଅକ୍‌ସିଜେନ ବ୍ୟବହାର କରାଯାଉଛି । ରେମଡେସିଭିର ଓ ଫାଭିଫିରାଭିର ଆଦି ସମସ୍ତ ଜରୁରୀ ଔଷଧ ଯଥେଷ୍ଟ ଭାବରେ ଉପଲବ୍‌ଧ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ସୂଚନା ଦେଇଛନ୍ତି ।

ଆଜି ସୁଦ୍ଧା ୮ଟି ରାଜ୍ୟକୁ ୯୦ଟି ଟ୍ୟାଙ୍କର ଜରିଆରେ ୧୬୭୫.୮୧ ଟନ୍‌ ଅକ୍‌ସିଜେନ ପଠାଯାଇଛି । ଅକ୍ସିଜେନ ଯୋଗାଣରେ କୌଣସି ସମସ୍ୟା ନଥିବା ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି । ବିଭିନ୍ନ କୋଭିଡ ଚିକିତ୍ସାଳୟରେ ଅଗ୍ନି ନିୟନ୍ତ୍ରଣ ସଂପର୍କରେ ନିଆଯାଉଥିବା ପଦକ୍ଷେପ ଉପରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ବୈଠକରେ ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାପାଳ ଜିଲ୍ଲାର କୋଭିଡ ପରିସ୍ଥିତି ଓ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଛନ୍ତି । ବୈଠକରେ ଉନ୍ନୟନ କମିଶନର ପି.କେ ଜେନା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି.କେ. ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : Apr 27, 2021, 9:03 PM IST

ABOUT THE AUTHOR

...view details