ଭୁବନେଶ୍ବର: ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ମିଡ଼ିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ବର ବେହେରା । ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟ ଅପେକ୍ଷା ନିଜ ଦଳର ସ୍ବାସ୍ଥ୍ୟ ଅପେକ୍ଷା ବେଶୀ ଯତ୍ନବାନ୍ । ଏହା ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାରଙ୍କ ଦାୟିତ୍ବ ଜନସ୍ବାସ୍ଥ୍ୟର ଉନ୍ନତି କରିବା କିନ୍ତୁ ସରକାର ସଚେତନ ନଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ସ୍ବାସ୍ଥ୍ୟ ପ୍ରତି ଅବହେଳା ହେଉଛି ଏକ ଅପରାଧ ।
ରାଜ୍ୟରେ ଏବେ ୨୩୬୬ ଡାକ୍ତର ପଦବୀ ଖାଲି ପଡ଼ିଛି । ୨୧ ବର୍ଷର ଶାସନ ଭିତରେ ଏହା ପୂରଣ ହୋଇନାହିଁ। ଆଉ କେବେ ପୂରଣ କରିବେ ରାଜ୍ୟ ସରକାର । ୨୦୦୦ ମସିହା ଠାରୁ ଗ୍ରାମାଞ୍ଚଳରେ ଗୋଟିଏ ବି ଡାକ୍ତରଖାନା ପ୍ରତିଷ୍ଠା ହୋଇନାହିଁ । ୨୦୨ ଖାଲି ପଦବୀ ରାଜ୍ୟର ମେଡିକାଲ୍ କଲେଜରେ । ପ୍ରାଇଭେଟ୍ ହସ୍ପିଟାଲ ପ୍ରତି ସରକାରଙ୍କ ଅଧିକ ଅନୁକମ୍ପା । ପ୍ରାଇଭେଟ୍ ହସ୍ପିଟାଲ ସାଧାରଣ ଲୋକଙ୍କୁ ଶୋଷଣ କରୁଛନ୍ତି । ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଆଇସିୟୁର ସୁବିଧା ନାହିଁ । ସାମାନ୍ୟ ଦେହ ଖରାପ ହେଲେ କଟକ ମେଡିକାଲ୍ ଉପରେ ସମସ୍ତେ ନିର୍ଭରଶୀଳ । ଦ୍ଵିତୀୟ ଲହର ଆସିବା ପୂର୍ବରୁ ସରକାର କାହିଁକି ସରକାରୀ ସ୍ତରରେ ସୁବିଧା କଲେ ନାହିଁ ଯାହା ଫଳରେ ସାଧାରଣ ଲୋକେ ଶୋଷଣର ଶିକାର ହୋଇଛନ୍ତି । ୫ଟି ବିଭାଗର ଏହା ସମ୍ପୂର୍ଣ ବିଫଳତା । ସରକାର ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ ତେବେ ଯାଇ ସୁଶାସନ କୁହାଯାଇପାରିବ ।