ଓଡିଶା

odisha

ETV Bharat / city

ରାଜ୍ୟ କ୍ୟାବିନେଟ ବୈଠକ: 6 ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି - ଓଏସଆରଟିସି ନିଗମ

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ 6ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 16, 2019, 8:31 PM IST


ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ଲୋକସେବା ଭବନରେ ବସିଥିବା ଏହି ବୈଠକରେ 6ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ସହିତ ମେରିଟାଇମ ବୋର୍ଡ, ଓଏସଆରଟିସି ନିଗମ, ଓଡିଶା ପୋଲିସ ସେବା ନିୟମ, ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶ୍ରୀମନ୍ଦିର ସୁପରିଚାଳନା ଓ ଯାତ୍ରୀଙ୍କ ଦର୍ଶନ ସୁବିଧା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଚାରିପଟୁ 75 ମିଟର ଜବରଦଖଲ ମୁକ୍ତ କରାଯିବ। ସେଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷତିଗ୍ରସ୍ତଙ୍କ ପାଇଁ ଆବଶ୍ୟକ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯିବାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଅବଢ଼ା ଯୋଜନାରୁ ଏହି ପାଣ୍ଠି ପ୍ରଦାନ କରାଯିବ। ପୂର୍ବରୁ ଶ୍ରୀମନ୍ଦିର ସଂସ୍କାର ଓ ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଜଷ୍ଟିସ ବି ପି ଦାସ କମିଶନ ଗଠନ କରାଯାଇଥିଲା। ଏହି କମିଶନ ତାଙ୍କର 2ଟି ମଧ୍ୟବର୍ତ୍ତୀ କାଳୀନ ରିପୋର୍ଟ ଦେଇଛନ୍ତି। ପ୍ରଥମ ରିପୋର୍ଟକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ପଦକ୍ଷେପ ନେଇଛନ୍ତି।

ଓଡିଶା ମେରିଟାଇମ ବୋର୍ଡ ଗଠନ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ 12 ଜଣ ସଦସ୍ୟ ଏହି ପରିଷଦରେ ରହିବେ। ଏହି ବୋର୍ଡ ରାଜ୍ୟର କ୍ଷୁଦ୍ର ବନ୍ଦର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ତଦାରଖ କରିବ।

ସେହିପରି କ୍ଷତିରେ ଚାଲୁଥିବା ଓଏସଆରଟିସି ନିଗମର ଆର୍ଥିକ ପୁନଃବିନ୍ୟାସ କରାଯାଇଛି। ରାଜ୍ୟ ସରକାରଙ୍କ 72 କୋଟି ଟଙ୍କାର ବକେୟାକୁ ଇକ୍ୟୁଟିରେ ରୂପାନ୍ତରିତ କରିବା ସହ ରାଜ୍ୟ ସରକାରଙ୍କ 77.୪୪ କୋଟି ଟଙ୍କାର ଆର୍ଥିକ ଦେୟ ଛାଡ଼ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କ୍ଷତି ଭରଣା ହୋଇପାରିଲେ ନିଗମ ବିଭିନ୍ନ ଆର୍ଥିକ ଅନୁଷ୍ଠାନ ନିକଟରୁ ସହାୟତା ପାଇ ନିଜର ବ୍ୟବସାୟ ବୃଦ୍ଧି କରିବାରେ ସହାୟକ ହେବ। ସେହିପରି ଓଡିଶା ପୋଲିସ ସେବା ନିୟମ 2013ରେ ସଂଶୋଧନ କରାଯାଇଛି । ଅନ୍ୟପକ୍ଷରେ ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ପାଇଁ ଷ୍ଟାମ୍ପ ଦେୟ ଓ ରେଜିଷ୍ଟ୍ରେସନ ଫି ଛାଡ଼ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details