ଓଡିଶା

odisha

ETV Bharat / city

ବୁଲା ପ୍ରାଣୀଙ୍କ ଚିକିତ୍ସା ଓ ସେବା: ଜାରି ହେଲା ୨୪ଘଣ୍ଟିଆ ପ୍ରାଣୀ ସେବା ହେଲ୍ପ ଲାଇନ ନମ୍ବର - ବୁଲା ପ୍ରାଣୀଙ୍କ ଚିକିତ୍ସା ଓ ସେବା

ଜାରି ହେଲା ୨୪ ଘଣ୍ଟିଆ ପ୍ରାଣୀ ସେବା ହେଲ୍ପ ଲାଇନ ନମ୍ବର । ଅସହାୟ ପ୍ରାଣୀମାନଙ୍କୁ ସେବା ଦେବାପାଇଁ ଟୋଲ୍ ଫ୍ରି ନମ୍ବର ୧୯୬୨ ଜାରି । ଟେଲି ଭେଟେରିନାରୀ ସେବା ଓ ମତ୍ସ୍ୟ, ପ୍ରାଣୀସମ୍ପଦ ମ୍ୟାପିଂ ବ୍ୟବସ୍ଥାର ଶୁଭାରମ୍ଭ । ଅସହାୟ ପ୍ରାଣୀମାନଙ୍କୁ ସହାୟତା ପାଇଁ ଆଗେଇ ଆସିବାକୁ ଜନତାଙ୍କୁ ନିବେଦନ କଲେ CM । ଅଧିକ ପଢ଼ନ୍ତୁ

ବୁଲା ପ୍ରାଣୀଙ୍କ ଚିକିତ୍ସା ଓ ସେବା, ଜାରି ହେଲା ୨୪ ଘଣ୍ଟିଆ ପ୍ରାଣୀ ସେବା ହେଲ୍ପ ଲାଇନ ନମ୍ବର
ବୁଲା ପ୍ରାଣୀଙ୍କ ଚିକିତ୍ସା ଓ ସେବା, ଜାରି ହେଲା ୨୪ ଘଣ୍ଟିଆ ପ୍ରାଣୀ ସେବା ହେଲ୍ପ ଲାଇନ ନମ୍ବର

By

Published : Jun 7, 2022, 10:51 PM IST

ଭୁବନେଶ୍ବର : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀ ସେବା ହେଲ୍ପ ଲାଇନ (State Animal Helpline) ସହିତ ଅନେକ ନୂଆ ଯୋଜନାର ସେ ଶୁଭାରମ୍ଭ କରିଛନ୍ତି । ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ହୋଇ ସେମାନଙ୍କୁ ସେବା ଯୋଗାଇଦେବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ବୁଲା ପ୍ରାଣୀଙ୍କ ଚିକିତ୍ସା ଓ ସେବା, ଜାରି ହେଲା ୨୪ ଘଣ୍ଟିଆ ପ୍ରାଣୀ ସେବା ହେଲ୍ପ ଲାଇନ ନମ୍ବର

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାମ କରୁଛନ୍ତି । ସହରାଞ୍ଚଳରେ ହେଲ୍‌ପ ଲାଇନ ୟୁନିଟ୍‌ ସହିତ ପ୍ରାଣୀ ଆମ୍ବୁଲାନ୍‌ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏଥିପାଇଁ କାମ କରୁଥିବା ଅଣ-ସରକାରୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ଦ୍ବାରା ଏହି ପଶୁ ମାନଙ୍କ ସେବା ଆହୁରି ତ୍ବରାନ୍ବିତ ହେବ । ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ ମାନଙ୍କୁ ଏଥିରେ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବୁଲା ପ୍ରାଣୀ ମାନଙ୍କ ଚିକିତ୍ସା ଓ ସେବା ପାଇଁ ଜାରୀ ହୋଇଛି ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ନମ୍ବର । ହେଲ୍‌ପ ଲାଇନ ନମ୍ବର-୧୯୬୨ ଚବିଶ ଘଣ୍ଟା କାର୍ଯ୍ୟକାରୀ ହେବ । ଏହାଦ୍ବାରା ଜରୁରୀ ସମୟରେ ପ୍ରାଣୀମାନଙ୍କୁ ଚିକିତ୍ସା ସେବା ମିଳିପାରିବ । ସେହିପରି ଟେଲି ଭେଟେରିନାରୀ ସେବା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କାର୍ଯ୍ୟକ୍ରମ ଗୁଡିକ ରାଜ୍ୟର ଚାଷୀ ମାନଙ୍କ ରୋଜଗାର ବୃଦ୍ଧି କରିବାରେ ସହାୟକ ହୋଇଛି । ରାଜ୍ୟସରକାର ସେମାନଙ୍କ ପ୍ରାଣୀସଂପଦକୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଅନେକ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି । ଟେଲି ଭେଟେରିନାରୀ ସେବା ବ୍ୟବସ୍ଥା ଦ୍ବାରା ଏହି କାର୍ଯ୍ୟକ୍ରମ ଆହୁରି ଦୃଢ ହେବ ।

ଏହା ସହିତ ପ୍ରାଣୀପାଳକ ମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ । ଏହି କାର୍ଯ୍ୟକ୍ରମରେ ଟୋଲ୍‌ ଫ୍ରି ନମ୍ବର 1962 କିମ୍ବା 155333 ଜରିଆରେ ଫୋନ କଲେ ତୁରନ୍ତ ସହାୟତା ମିଳିପାରିବ । ରାଜ୍ୟର ୧୧ଟି ସହରରେ ଆନିମଲ୍‌ ଆମ୍ବୁଲାନ୍‌ସ ବ୍ୟବସ୍ଥା ରହିଛି । ସବୁ ବ୍ଲକ୍‌ରେ ପ୍ରାଣୀସେବା କେନ୍ଦ୍ରର ସୁବିଧା ମଧ୍ୟ ରହିଛି ।

ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମ୍ୟାପିଂ ସିଷ୍ଟମ (Fisheries & Animal Resources Mapping System)ର ଶୁଭାରମ୍ଭ ମଧ୍ୟ କରିଛନ୍ତି । ୫-ଟି ଉପକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ସବୁ ପ୍ରାଣୀ ଚାଷ ୟୁନିଟ୍‌ ଗୁଡିକର ଜିଓ ଟ୍ୟାଗିଂ ଓ ମ୍ୟାପିଂ କରାଯିବ ଏବଂ ଏହାକୁ WEB-GIS ପ୍ଲାଟଫର୍ମରେ ଦେଖାଯାଇ ପାରିବ ।

ଏହାଦ୍ବାରା ସ୍ବଚ୍ଛତା ଓ ଉତ୍ତରଦାୟୀତା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହା ସହ BAIF Institute ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି । ଏହି ବୁଝାମଣା ଅନୁଯାୟୀ ରାଜ୍ୟରେ ୧୫୦୦ କୃତ୍ରିମ ପ୍ରଜନନ ଟେକ୍‌ନିସିଆନ ନିୟୋଜିତ ହେବେ । ସେହିପରି ଗୋପାଳପୁରରେ ଭେକ୍‌ଟି ଯାଆଁଳ ହାଚେରୀ ପ୍ରତିଷ୍ଠା ପାଇଁ ରାଜୀବ ଗାନ୍ଧୀ ସେଣ୍ଟରଫର ଆକ୍ବା କଲ୍‌ଚର ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଭେକ୍‌ଟୀ ମାଛର ଚାହିଦା ବହୁତ ଅଧିକ ଥିବାରୁ ଏହା ମାଛଚାଷୀ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗ ପକ୍ଷରୁ ରାଜ୍ୟର ପ୍ରାଣୀ ସମ୍ପଦର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି । ଏହାସହ ଆଜିର କାର୍ଯ୍ୟକ୍ରମ ପ୍ରାଣୀ ପାଳକ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି ।

୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ଆର. ରଘୁପ୍ରସାଦ ସ୍ବାଗତ ଭାଷଣ ଦେଇଥିବାବେଳେ ବିଭାଗର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଛନ୍ତି । ବୈଠକରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ମିଶନ ଶକ୍ତି କମିଶନର-ତଥା-ସଚିବ ଏବଂ ବିଭିନ୍ନ ଜିଲ୍ଲାରେ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details