ଓଡିଶା

odisha

By

Published : May 7, 2022, 10:25 AM IST

ETV Bharat / city

ଆଗାମୀ ଦିନରେ କମିବ ବିଦ୍ୟୁତ୍‌ ଦେୟ ଓ ବିଜୁଳିକାଟ: ବାଚସ୍ପତି

ବିଧାନସଭା ବିଦ୍ୟୁତ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଗ୍ରାମାଞ୍ଚଳ ବିଦ୍ୟୁତ ସମସ୍ୟା ସୁଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ

ଆଗାମୀ ଦିନରେ କମିବ ବିଦ୍ୟୁତ ଦେୟ ଓ ବିଜୁଳିକାଟ: ବାଚସ୍ପତି
ଆଗାମୀ ଦିନରେ କମିବ ବିଦ୍ୟୁତ ଦେୟ ଓ ବିଜୁଳିକାଟ: ବାଚସ୍ପତି

ଭୁବନେଶ୍ବର:ବିଧାନସଭା ବିଦ୍ୟୁତ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଗ୍ରାମାଞ୍ଚଳ ବିଦ୍ୟୁତ ସମସ୍ୟା ସୁଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି ବାଚସ୍ପତି । ବିଦ୍ୟୁତ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବାରୁ ରାଜ୍ୟବାସୀ ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇବା ତାଙ୍କର ନ୍ୟାର୍ଯ୍ୟ ଅଧିକାର ବୋଲି ସେ କହିଛନ୍ତି ।

ଆଗାମୀ ଦିନରେ କମିବ ବିଦ୍ୟୁତ ଦେୟ ଓ ବିଜୁଳିକାଟ: ବାଚସ୍ପତି

ବିଗତ ଦିନମାନଙ୍କରେ ବିଭାଗ କ୍ଷତି କରୁଥିଲା । କିନ୍ତୁ ଏ ବର୍ଷ ଦକ୍ଷିଣ ଓଡ଼ିଶା ସମେତ ସବୁ ଅଞ୍ଚଳରେ ଲାଭ ହୋଇଛି । ତେଣୁ ଆଗାମୀ ଦିନରେ ବିଦ୍ୟୁତ ଦେୟ ନିଶ୍ଚିତ ଭାବରେ କମିବ । ରାଜ୍ୟବାସୀ ଉପକୃତ ହେବେ । ସଂପ୍ରତି ୩୩/୧୧ କେଭି କ୍ଷମତାସଂପନ୍ନ ସବ୍‌ଷ୍ଟେସନ୍‌ଗୁଡ଼ିକର କେନ୍ଦ୍ରୀୟ ତଦାରଖ କରାଯାଉଛି । ତା’ଠାରୁ କମ ଶକ୍ତିସଂପନ୍ନ ସବ୍‌ଷ୍ଟେସନ୍‌ଗୁଡ଼ିକୁ କେନ୍ଦ୍ରୀୟ ତଦାରଖ କରାଯାଇପାରିଲେ ଗ୍ରାମାଞ୍ଚଳ ବିଦ୍ୟୁତ ସମସ୍ୟାର ଆଶୁ ସମାଧାନ କରାଯାଇପାରିବ । ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତି ଉତ୍ପାଦନ, ବଣ୍ଟନ, ଉନ୍ନତିକରଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ପୂର୍ବବତ୍‌ ୪ଟି ସବ୍‌କମିଟି ତୁରନ୍ତ ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ରାଜ୍ୟବାସୀଙ୍କ ସହଯୋଗରେ ବିଦ୍ୟୁତ ବିଭାଗ କ୍ଷତିରୁ ଲାଭକୁ ଆସିପାରିଛି । ବିଦ୍ୟୁତ ଓ ଶକ୍ତି କ୍ଷେତ୍ରରେ ଆଖିଦୃଶିଆ ସ୍ଥିରତା ଆସିଛି । କର୍ମନିଯୁକ୍ତି ବଢ଼ିଛି । ଏହାର ପ୍ରଶଂସା କରାଯିବା ଉଚିତ । ଏହା ଦ୍ୱାରା କର୍ମଚାରୀ ଏବଂ ସଂସ୍ଥାର କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ ବୋଲି ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ର ଉଲ୍ଲେଖ କରିଛନ୍ତି ।

ଅନେକ ସମୟରେ ବିଦ୍ୟୁତ୍‌ ଯୋଗାଣକୁ ନେଇ ବିଦ୍ୟୁତ ଉତ୍ପାଦନ କରୁଥିବା ଶିଳ୍ପସଂସ୍ଥା ଓ ବିଦ୍ୟୁତ ପ୍ରଦାନକାରୀ ସଂସ୍ଥା ମଧ୍ୟରେ ଅସମ୍ମତି ଦେଖାଯାଉଛି । ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ଦସ୍ତାବିଜ୍‌ ସହିତ ବିଦ୍ୟୁତ ଓ ଶକ୍ତି ବିଭାଗ ଉପକମିଟି ନିକଟରେ ଉପସ୍ଥାପନା କରିବାକୁ ବିରୋଧୀ ଦଳର ନେତା ନରସିଂହ ମିଶ୍ର ପରାମର୍ଶ ଦେଇଛନ୍ତି । ଏହା ସହିତ ବିଜୁଳି କାଟ ସମ୍ବନ୍ଧୀୟ ସଠିକ୍‌ ଓ ସବିଶେଷ ତଥ୍ୟ ଉପ କମିଟିକୁ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଲୋକଙ୍କର ସବୁଠାରୁ ଅଧିକ ଆବଶ୍ୟକ ସମୟରେ ବିଦ୍ୟୁତ କାଟ କରିବା ଉଚିତ ନୁହେଁ ବୋଲି ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତି ।

ପାଖାପାଖି ୪୪୦ ମେଗାୱାଟ୍‌ କ୍ଷମତା ସଂପୂର୍ଣ୍ଣ ଦରଲିପାଲି ପ୍ରକଳ୍ପରୁ ବିଦ୍ୟୁତ ଉତ୍ପନ୍ନ ନହେବା, ଅନେକ ପ୍ରଚେଷ୍ଟା ସତ୍ତ୍ବେ ସେବା ଅଦଳବଦଳ କରି ବିଦ୍ୟୁତ ସଂଗ୍ରହ କରାଯାଇ ନପାରିବା ଓ ଦୁଇଟି ଶିଳ୍ପସଂସ୍ଥା ପୂର୍ବନିର୍ଦ୍ଧାରଣଠାରୁ କମ୍‌ ବିଦ୍ୟୁତ ପ୍ରଦାନ କରିବା ଯୋଗୁଁ ଅନିଚ୍ଛା ସତ୍ତ୍ୱେ ବିଜୁଳି କାଟ କରାଯାଉଥିଲା । ବିଦ୍ୟୁତ ଓ ଶକ୍ତି ବିଭାଗର ଉନ୍ନତିକରଣ ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ପାଖାପାଖି ୫୬୦୦ କୋଟି ଟଙ୍କା ବ୍ୟୟ ଅଟକଳ ନିର୍ଦ୍ଧାରଣ କରାଯାଇଛି । ଓଡ଼ିଶା ସରକାର ଫେଜ୍‌-୪ରେ ୧୭୯୯.୭୩ କୋଟି ଟଙ୍କା ବ୍ୟୟରେ ଡିସେମ୍ବର ୨୦୨୩ ସୁଦ୍ଧା ୯୯ଟି ୩୩/୧୧ କେଭି ସବ୍‌ଷ୍ଟେସନ୍‌ ଓ ସହଯୋଗୀ ତାର ବିଛାଇବା ଏବଂ ୬୪ଟି ୩୩ କେଭି ସହଯୋଗୀ ତାର ବିଛାଇବା କାର୍ଯ୍ୟ ସମାପ୍ତ କରି ଲୋ-ଭୋଲ୍‌ଟେଜ୍‌ ସମସ୍ୟା ସମାଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

୨୦୨୦/୨୧ ଆର୍ଥିକ ବର୍ଷରେ ୨୦୫ଟି ବିଦ୍ୟୁତ ଜନିତ ଦୁର୍ଘଟଣା ହୋଇଥିବାବେଳେ ୨୦୨୧/୨୨ରେ ଏହା ୧୬୧କୁ ହ୍ରାସ ପାଇଛି । ଟାଟା ପାୱାର (ମଧ୍ୟ) ବର୍ଷକୁ ୬୦୦ ଥରରେ ୪୨୪ ଘଣ୍ଟା ବିଦ୍ୟୁତ କାଟୁଛି । ଟାଟା ପାୱାର (ଦକ୍ଷିଣ) ବର୍ଷକୁ ୨୩୩ ଥରରେ ୧୫୫ ଘଣ୍ଟା ବିଦୁ୍ୟତ କାଟ କରୁଛି । ବିଦ୍ୟୁତ ଓ ଆନୁଷଙ୍ଗିକ ଦେୟ ବାବଦରେ ୨୦୨୦/୨୧ ଆର୍ଥିକ ବର୍ଷରେ ୩୧୫୦ କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଥିଲାବେଳେ ୩୯୩୯.୦୮ କୋଟି ଟଙ୍କା ଆଦାୟ ହୋଇଥିଲା । ୨୦୨୧/୨୨ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ୩୩୦୦ କୋଟି ଟଙ୍କା ଥିଲା ଏବଂ ୩୭୧୬.୯୯ କୋଟି ଟଙ୍କା ଆଦାୟ ହୋଇଛି ।

ସେହିପରି ୨୦୨୨/୨୩ ବର୍ଷ ପାଇଁ ୩୦୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୨୦୨୧/୨୨ ଆର୍ଥିକ ବର୍ଷରେ ବିଦ୍ୟୁତ ସଂଯୋଗୀକରଣ ଓ ଆନୁଷଙ୍ଗିକ ବାବଦରେ ୫୫,୮୩୫ଟି ଆବେଦନ ଆସିଥିଲାବେଳେ ୪୩୮୦୩ଟି ଆବେଦନ ମଞ୍ଜୁର, ୩୦୨୯ଟି ଆବେଦନ ଅଗ୍ରାହ୍ୟ ଏବଂ ୯୦୦୩ଟି ପ୍ରକ୍ରିୟା ଅବସ୍ଥାରେ ଅଛି ।

ଏହି ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ବରିଷ୍ଠ ବିଧାୟକ ଅନନ୍ତ ଦାସ, ଶ୍ରୀକାନ୍ତ ସାହୁ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଟାଟା ପାୱାର ଦକ୍ଷିଣ, ଉତ୍ତର, ପଶ୍ଚିମ ଓ ମଧ୍ୟ କର୍ତ୍ତୃପକ୍ଷ, ଓପିଜିସି, ଓଇଆର୍‌ସି, ଓଏଚ୍‌ପିସି, ଓପିଟିସିଏଲ୍‌ ଏବଂ ବିଭାଗୀୟ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାଶ, ଇଟିଭି ଭାରତ

ABOUT THE AUTHOR

...view details