ଭୁବନେଶ୍ବର: ଓଡ଼ିଶାର ପରିବେଶ ପ୍ରଦୂଷଣ ପ୍ରତିଷେଧ ଓ ନିୟନ୍ତ୍ରଣ ସଂପର୍କିତ ଅନୁଧ୍ୟାନ ପାଇଁ ପ୍ରଥମ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ପରିବେଶ ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ । ଏହା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତି କମିଟିର ଭବିଷ୍ୟତ ଯୋଜନା ଓ କାର୍ଯ୍ୟପନ୍ଥା ସଂପର୍କରେ ଆଲୋକପାତ କରିବା ସହିତ ପରିବେଶ ପ୍ରଦୂଷଣ ରୋକିବା ପାଇଁ ମିଳିତ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି । କମିଟିର ସଦସ୍ୟମାନେ ପରିବେଶ ପ୍ରଦୂଷଣ ପ୍ରତିଷେଧ ଓ ନିୟନ୍ତ୍ରଣ, ବର୍ଜ୍ୟବସ୍ତୁ ପରିଚାଳନା, ଶିଳ୍ପସଂସ୍ଥା ଦ୍ୱାରା ବିଭିନ୍ନ ଜଳାଶୟକୁ ଛଡ଼ାଯାଉଥିବା ପ୍ରଦୂଷିତ ଜଳ, ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବିଶୁଦ୍ଧିକରଣ ଉପରେ ଆଲୋଚନା କରିଛନ୍ତି ।
ଚଳିତବର୍ଷ ନୂତନ ସବ୍କମିଟି ଗଠନ କରି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି । କମିଟିମାନେ କୌଣସି ଜିଳ୍ଲାକୁ ଗସ୍ତ କରିବା ପୂର୍ବରୁ ସ୍ଥାନୀୟ ବିଧାୟକମାନଙ୍କୁ ଅବଗତ କରିବା ପରମ୍ପରାକୁ ଅବ୍ୟାହତ ରଖିବାକୁ ବାଚସ୍ପତି ପରାମର୍ଶ ଦେଇଛନ୍ତି ।
ନୂତନ ସବ୍କମିଟି ଗଠନ ହେଲା ପରେ ସଦସ୍ୟମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ପରିବେଶ ପ୍ରଦୂଷଣ ସମ୍ପର୍କିତ ରିପୋର୍ଟ ମୁଖ୍ୟ କମିଟିକୁ ବିଚାର ନିମନ୍ତେ ପ୍ରଦାନ କରିବେ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ପରିବେଶ ପ୍ରଦୂଷଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ପରିବେଶ ପ୍ରଦୂଷଣକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହିଁ ପରିବେଶ ପ୍ରଦୂଷଣ ଉପରେ ରୋକ ଲଗାଯାଇପାରିବ ବୋଲି ବରିଷ୍ଠ ବିଧାୟକ ଅମର ଶତପଥି କହିଛନ୍ତି ।