ଭୁବନେଶ୍ବର: ବିଳମ୍ବିତ ରାତିରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି SRC । ବନ୍ୟାର ପ୍ରଭାବ 3ରୁ 4 ଦିନ ରହିବ ସେଥିପାଇଁ ସମସ୍ତେ ସତର୍କ ରହିବା ଲାଗି ବୈଠକ ପରେ ପରାମର୍ଶ ଦେଇଛନ୍ତି ଏସଆରସି । SRC ଆହୁରି କହିଛନ୍ତି ଯେ, "ବର୍ଷା ଜନିତ ଜଳ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଅନବରତ ସମୀକ୍ଷା ଚାଲିଛି । ତେଲ ନଦୀରେ 5 ଲକ୍ଷରୁ ସାଢ଼େ 5 ଲକ୍ଷ କ୍ୟୁସେକ ପିକ ବନ୍ୟାଜଳ ଆସିବ ।"
"ବିଳମ୍ବିତ ରାତିରେ ତାହା ପାସ୍ କରିଛି । ବରଗଡ଼ରୁ ବାହାରିଥିବା 3ରୁ 4ଟି ନଦୀରୁ ପାଣି ମହାନଦୀକୁ ଆସୁଛି । ଭେଡେନ, ଅଙ୍ଗ, ଜୀରା ଓ ଲାଞ୍ଜୁର ନଦୀରୁ ପ୍ରାୟ ଅଢେଇ ଲକ୍ଷରୁ 3 ଲକ୍ଷ କ୍ୟୁସେକ ଜଳ ମହାନଦୀକୁ ପ୍ରବେଶ କରୁଛି । ବର୍ତ୍ତମାନ ଖଇରମାଳରେ 12 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେଠାରେ ହୀରାକୁଦରୁ ଛଡା ହୋଇଥିବା ପ୍ରାୟ 5 ଲକ୍ଷ କ୍ୟୁସେକ ବନ୍ୟା ଜଳ ଆସୁଛି । ଏହାର ପ୍ରଭାବ ସକାଳେ ଅନେକାଂଶରେ କମିଯିବ । ପଥରଲା ପାଖରେ ତେଲ ନଦୀର ଇନ ଫ୍ଲୋ କମିବାକୁ ଲାଗିବ ।"
ଆକଳନ ଅନୁସାରେ ମୁଣ୍ଡୁଳୀରେ 11 ଲକ୍ଷ 25 ହଜାର କ୍ୟୁସେକ ଜଳ ପ୍ରବାହିତ ହେବ । ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ମାନେ ଯେଉଁ ଟେକ୍ନିକାଲ ନିଷ୍ପତ୍ତି ନେଇଛନ୍ତି, ତାହା ବର୍ତ୍ତମାନ ଆକଳନ ଓ ମଡେଲ ଅନୁସାରେ ଠିକ ରହିଛି। ବନ୍ୟାର ପ୍ରଭାବ 3ରୁ 4 ଦିନ ରହିବ । ସେଥିପାଇଁ ସମସ୍ତେ ସତର୍କ ରହିବା ଦରକାର । ଏହା ଏ ବର୍ଷର ପ୍ରଥମ ବନ୍ୟା । ଯେହେତୁ ପ୍ରଥମ ବନ୍ୟାରେ 11 ଲକ୍ଷ କ୍ୟୁସେକରୁ ଅଧିକ ଜଳ ଆସୁଥିବାରୁ ଏହା ଚ୍ୟାଲେଞ୍ଜିଂ ରହିବ ବୋଲି ସେ କହିଛନ୍ତି ।