ଭୁବନେଶ୍ବର: ଟୋକିଓ ଅଲମ୍ପିକ ଗେମ୍ସରୁ ଫେରିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ତାଙ୍କୁ ଓ ତାଙ୍କ ପରିବାରକୁ ନେଇ କିଛି ଗଣମାଧ୍ୟମ ନକରାତ୍ମକ ଖବର ପ୍ରସାରଣ କରିଥିଲେ । ଏହାକୁ ବିରୋଧ କରି ସମ୍ପୃକ୍ତ ଗଣମାଧ୍ୟମଗୁଡି଼କୁ ଲିଗାଲ ନୋଟିସ ପଠାଇବେ ବୋଲି କହିଛନ୍ତି ଦୂତୀ ଚାନ୍ଦ । ମିଥ୍ୟା ଖବର ପ୍ରସାରଣ କରିଥିବା ଲୋକଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିଛନ୍ତି ଦୂତୀ । ଏକ ସାମ୍ବାଦିକ ସମ୍ମିଳନୀରେ ଦୂତୀଙ୍କ ସହ ତାଙ୍କ କୋଚ୍ ଶିବ ପ୍ରସାଦ ମିଶ୍ର ଓ ଆଇନ ପରାମର୍ଶଦାତା ଉପସ୍ଥିତ ଥିଲେ ।
ବିଶେଷ କରି ଏକ ନିର୍ଦ୍ଧିଷ୍ଟ ୱେବ ପୋର୍ଟାଲର ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି ଦୁତୀ । ଏହାସହ ଦୂତୀଙ୍କୁ ନେଇ ନକରାତ୍ମକ ଖବର ପ୍ରଶାରଣରେ ସାମିଲ ଥିବା ଜଣେ ସୂଚନା ଅଧିକାର କର୍ମୀଙ୍କ ନାମ ମଧ୍ୟ ସେ କହିଛନ୍ତି । ଖେଳରେ ହାରଜିତ ଲାଗି ରହିଛି, ତେବେ ଜଣେ କ୍ରୀଡ଼ାବିତଙ୍କୁ ହତୋତ୍ସାହିତ କରିବା କେତେ ଯୁକ୍ତିଯୁକ୍ତ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ଦୂତୀ । କ୍ରୀଡ଼ା କିମ୍ବା ପ୍ରତିଯୋଗିତାରେ କ୍ରୀଡ଼ାବିତ ହାରିଲେ ତାଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।