ଭୁବନେଶ୍ବର: ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କୋଣାର୍କ, ରାମଚଣ୍ଡୀ ଏବଂ ଚନ୍ଦ୍ରଭାଗା ଅଞ୍ଚଳ ପରିଦର୍ଶନ କରି ଏହି ସବୁ ଅଞ୍ଚଳକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଉପରେ ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ ଏବଂ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସହ ଆଲୋଚନା କରିଛନ୍ତି ।
ମନ୍ତ୍ରୀ ରାମଚଣ୍ଡୀ ଠାରେ ସ୍ଥାନୀୟ ବୋଟିଂ ଆସୋସିଏସନ୍ର କର୍ମକର୍ତ୍ତା ଏବଂ ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପିଇବା ପାଣି, ପରିମଳ, ଶୌଚାଳୟ ନିର୍ମାଣ ସହ ପର୍ଯ୍ୟଟକଙ୍କ ବସିବା ପାଇଁ ସେଡ୍ ନିର୍ମାଣ ଆଦି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବ୍ଲକ୍ ତରଫରୁ ଦୀର୍ଘ ୧୦ ବର୍ଷ ହେବ ନିର୍ମାଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସ ଚାଲୁ କରିବା ପାଇଁ ସ୍ଥାନୀୟ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ପର୍ଯ୍ୟଟନ ଋତୁରେ କୋଣାର୍କରେ ଟେଣ୍ଟ ସିଟି ନିର୍ମାଣ କରାଯିବାର ଯୋଜନା ରହିଥିବାରୁ ବହୁ ପର୍ଯ୍ୟଟନ ରାମଚଣ୍ଡୀ ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ତ୍ବିରିତ ବିକାଶ ଉପରେ ଗୁରୁତ୍ବ ଦେବାକୁ ମନ୍ତ୍ରୀ ପର୍ଯ୍ୟଟନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ କହିଥିଲେ ।