ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣକୌଶଳ (Location Specific Strategy) ଅବଲମ୍ବନ କରିବାପାଇଁ ପରାମର୍ଶ ଦେଇଛନ୍ତି । ଏହାଫଳରେ ଆସନ୍ତା ସପ୍ତାହ ମଧ୍ୟରେ ଏହିସବୁ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ କରିବା ଦିଗରେ ଆମେ ଅଗ୍ରଗତି କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ ଯେ ବୁଧବାର ପ୍ରତି ୧୦ ଲକ୍ଷ ସଂଖ୍ୟାରେ ୧୦୯୬ ଟେଷ୍ଟ କରି ଓଡିଶା ଆଜି ଜାତୀୟ ସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟରେ ପରିଗଣିତ ହୋଇଛି । ଏହାସହିତ ସପ୍ତାହ ମଧ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି । ଏହା ଉପରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ସେମାନଙ୍କ ଟିମ୍ ତଥା ସମସ୍ତ ଡାକ୍ତର ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଏହା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ରାଜ୍ୟରେ କୋଭିଡରେ ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକ ଟ୍ରେନିଂ ପାଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ପଞ୍ଚାୟତିରାଜ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ, କୋଭିଡ କମିଟି ସଦସ୍ୟ ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ ଅଛନ୍ତି। ଏହା ବାସ୍ତବରେ ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକେ ନିୟୋଜିତ ଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।
ରାଜ୍ୟରେ ଲକ୍ଷଣବିହୀନ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଗୃହ ସଂଗରୋଧକୁ ଉତ୍ସାହିତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସ୍ବତନ୍ତ୍ର ପ୍ରଚାର ଅଭିଯାନ ସହିତ ପଞ୍ଚାୟତିରାଜ ପ୍ରତିନିଧି ଓ କୋଭିଡ କେୟାର କମିଟି ଗୁଡିକର ସହାୟତା ନେବା ପାଇଁ ମଧ୍ୟ ସେ କହିଛନ୍ତି। ଲୋକଙ୍କ ମନରେ ଗୃହ ସଂଗରୋଧ ସଂପର୍କରେ ଯଦି କୌଣସି ସନ୍ଦେହ ଥାଏ, ତାକୁ ଦୂର କରିବା ଦିଗରେ ଏହା ସହାୟକ ହେବ। ଏ କ୍ଷେତ୍ରରେ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ସ୍ବତନ୍ତ୍ର ଗୁରୁତ୍ବ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି।
ସେହିପରି ରାଜ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରରେ ପହଞ୍ଚି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହି ଧାରା ବଜାୟ ରଖିବା ପାଇଁ କହିଥିଲେ। ଏଥିପାଇଁ ଟେଷ୍ଟ କିଟ୍ ଯୋଗାଣକୁ ଉତ୍ତମ ରୂପେ ପରିଚାଳନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ।