ଭୁବନେଶ୍ବର: ରାଜ୍ୟରେ ଉତ୍କଟ ହେଉଛି ବେକାରୀ ସମସ୍ୟା । ଜାତୀୟସ୍ତରରୁ ଅଧିକ ରହିଛି ରାଜ୍ୟର ବେକାରୀ ହାର । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ତଥ୍ୟ ଅନୁସାରେ, 2020 ଅପ୍ରେଲ ପର୍ଯ୍ୟନ୍ତ ଓଡିଶାର ବେକାରୀ ହାର 10.7 ପଏଣ୍ଟ ବଢି 23.8 ପ୍ରତିଶତରେ ପହଞ୍ଚିଛି । ଯାହାକି ଜାତୀୟ ବେକାରୀ ହାର 23.5 ପ୍ରତିଶତ ତୁଳନାରେ ଅଧିକ ରହିଛି ।
ତେବେ ରାଜ୍ୟରେ ଶିକ୍ଷିତ ନଥିବା ଲୋକଙ୍କ ବେକାରୀ ହାର 52.71 ଥିବାବେଳେ ଗ୍ରାଜୁଏଟ ବେକାରୀ ହାର 22.59 ପ୍ରତିଶତ ରହିଛି । ସବୁଠି ବଡ କଥା ହେଉଛି ରାଜ୍ୟରେ 20ରୁ 24 ବର୍ଷ ଓ 24ରୁ 29 ବର୍ଷ ବୟସ ମଧ୍ୟରେ ଅଧିକ ପ୍ରତିଶତ ବେକାରୀ ରହିଛନ୍ତି ।
ଏମାନଙ୍କ ହାରାହାରି ପ୍ରତିଶତ ଯଥାକ୍ରମେ 32.63 ଓ 25.66 ରହିଛି । ତେବେ ରାଜ୍ୟରେ ବେକାରୀଙ୍କ ହାର ବଢିବା ନେଇ ବିଶେଷଜ୍ଞ ଭିନ୍ନ ଭିନ୍ନ କାରଣ ଦର୍ଶାଉଥିବାବେଳେ ଏହା ଆଗକୁ ଆହୁରି ବଢିବ ବୋଲି ଆକଳନ କରାଯାଉଛି ।
ଏହାସହ ରାଜ୍ୟରେ ଯେଉଁସବୁ କଳକାରଖାନା ଅଛି ସେଠାରେ ନିଯୁକ୍ତି ସୁଯୋଗ କମ ରହିଛି । ଆମର ମିନେରାଲ ଓ ପାଓ୍ଵାର ଇଣ୍ଡଷ୍ଟ୍ରିରେ ଏତେ ସୁଯୋଗ ନାହିଁ । ଏହାସହ ଇଞ୍ଜିନିୟରିଂ ଓ ଏମଏସଏମଇ ଇଣ୍ଡଷ୍ଟ୍ରି ଓଡିଶାର ଏତେ ଭଲ ନାହିଁ । ଏପରିକି ଷ୍ଟାଟଅପ୍ ବି ଭଲ ନାହିଁ । ଫଳରେ ରାଜ୍ୟରେ ଏଭଳି ଉତ୍କଟ ସ୍ଥିତି ଉପୁଜୁଛି ବୋଲି କହିଛନ୍ତି ଏକ୍ସପର୍ଟ ।