ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାତ ଦିନିଆ ନୂଆଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ଏହି ଗସ୍ତ ଅବସରରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତକାର କରିବାର କାର୍ଯ୍ୟକ୍ରମ ରହିଛି । ଇତିମଧ୍ୟରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନର ଦାବି ଦୋହରାଇପାରନ୍ତି ନବୀନ । ତେବେ ଏହାକୁ ବିଜେଡିର ରାଜନୈତିକ ସ୍ଲୋଗାନ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର ।
ନରସିଂହ କହିଛନ୍ତି ଯେ କେନ୍ଦ୍ରଠାରୁ ଅଧିକରୁ ଅଧିକ ଅର୍ଥ ଆଦାୟ କରି ରାଜ୍ୟର ବିକାଶରେ ଖର୍ଚ୍ଚ କରିବା ହେଉଛି ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟଙ୍କର ପ୍ରମୁଖ ଦାୟିତ୍ବ । ତେବେ ସ୍ବତନ୍ତ୍ର ରାଜ୍ୟପାହ୍ୟା ନେଇ ବିଜେଡି କେବଳ ରାଜନୀତି କରୁଛି ଏବଂ ଦୀର୍ଘଦିନ ଧରି ଏହାକୁ ରାଜନୈତିକ ସ୍ଲୋଗାନ ଭାବେ ବ୍ୟବହାର କରିଆସିଛି । ସେ ଏହା ମଧ୍ୟ କହିଛନ୍ତି ଯେ ମୋଦି-ନବୀନଙ୍କ ସମ୍ପର୍କ ନୂଆ ନୁହେଁ । ନବୀନ ଏନଡିଏ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ତେବେ କେତେବେଳେ ସମର୍ଥନ ତ ଆଉ କେବେ ବିରୋଧ ଏହା ନବୀନଙ୍କ ରାଜନୈତିକ ଚାଲ୍ ।