ଭୁବନେଶ୍ବର: କୋଭିଡ଼ ସଂକ୍ରମଣ ଦୃଷ୍ଟିରେ ରଖି ବନ୍ଦଥିବା ପଛୁଆବର୍ଗ ଜନଗଣନା ପୁନର୍ବାର ଆରମ୍ଭ ଲାଗି ଦାବି । ଏହି ଦାବି କରିଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପାର୍ଟିର ରାଜ୍ୟ ସଭାପତି ରବି ବେହେରା ।
ରାଜ୍ୟ ପଛୁଆବର୍ଗ କମିଶନ ପକ୍ଷରୁ ଗତ ମଇ ୧ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଓଡ଼ିଶାରେ ଜାତି ଜନଗଣନା କାର୍ଯ୍ୟକ୍ରମ ହାତକୁ ନେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କିନ୍ତୁ, କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ପଛୁଆବର୍ଗ ଜନଗଣନା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ପାଇଁ କମିଶନଙ୍କୁ ନିର୍ଦ୍ଦେଶ ଦେଲେ । ବର୍ତ୍ତମାନ କରୋନା ସଂକ୍ରମଣ କମିବାରେ ଲାଗିଛି । ସ୍କୁଲ, କଲେଜ, ଅଫିସ୍, ଦପ୍ତର ସବୁ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଲେଣି । କିନ୍ତୁ ଦୁର୍ଭାଗ୍ୟର କଥା ପଛୁଆବର୍ଗ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ଗତ ମାସ ୧୫ ତାରିଖ ଦିନ ସମାଜବାଦୀ ପାର୍ଟିର ଏକ ପ୍ରତିନିଧି ଦଳ ପଛୁଆବର୍ଗ କମିଶନର ଅଧ୍ୟକ୍ଷଙ୍କୁ ତାଙ୍କ କାର୍ଯ୍ୟାଳୟଠାରେ ସାକ୍ଷାତ କରି ପଛୁଆବର୍ଗ ଜନଗଣନା ଖୁବ୍ଶୀଘ୍ର ଆରମ୍ଭ କରିବା ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା । ଆଇନ୍ ଅନୁଯାୟୀ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି କମିଶନ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ଏକମାସ ବିତିଯାଇଥିଲେ ହେଁ କମିଶନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ପଛୁଆବର୍ଗ ଜାତି ଜନଗଣନା କରିବା ପାଇଁ କୌଣସି ପଦକ୍ଷେପ ନିଆଗଲାନାହିଁ । ଫଳରେ ସ୍କୁଲ, କଲେଜର ନାମଲେଖା ସମୟରେ ରାଜ୍ୟର ପଛୁଆବର୍ଗର ହଜାର ହଜାର ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହେଉଛନ୍ତି । ଏଭଳିକି ଡାକ୍ତରୀ ଓ ଇଂଜିନିୟରିଂ ଭଳି ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ମଧ୍ୟ ଏହି ବର୍ଗର ଛାତ୍ରଛାତ୍ରୀ ସଂରକ୍ଷଣ ସୁବିଧା ପାଇପାରିଲେ ନାହିଁ ।
ସଂରକ୍ଷଣ ପଛୁଆବର୍ଗ ପାଇଁ ଏକ ଭିକ୍ଷା ନୁହେଁ । ଏହା ଏକ ସାମ୍ବିଧାନିକ ଅଧିକାର । ଦୀର୍ଘଦିନ ଧରି ଓଡ଼ିଶାର ପଛୁଆବର୍ଗ ତାଙ୍କର ନ୍ୟାୟୋଚିତ ସାମ୍ବିଧାନିକ ଅଧିକାରୁ ଜାତି ଜନଗଣନା ନ ହେବା ଫଳରେ ବଞ୍ଚିତ ହେବାରେ ଲାଗିଛନ୍ତି । ଶାସକ ଦଳର ସାଂସଦମାନେ ଓ ଖୋଦ୍ ରାଜ୍ୟ ସରକାର ଜାତୀୟ ଜନଗଣନାରେ ଓବିସି ଜନଗଣନାକୁ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦୃଢ ଦାବି ଉପସ୍ଥାପିତ କରିଥିଲେ ।