ଓଡିଶା

odisha

By

Published : Nov 30, 2021, 7:41 PM IST

Updated : Dec 1, 2021, 9:40 AM IST

ETV Bharat / city

Farmers Monthly Income: ଦେଶରେ ଗରିବ ଓଡିଶାର ଚାଷୀ, ଆୟ ତାଲିକାରେ ଶେଷ ସ୍ଥାନ

କୃଷକଙ୍କ ମାସିକ ଆୟରେ ଓଡିଶାର ପ୍ରଦର୍ଶନ ନେଇ ସରକାରଙ୍କୁ ଘେରିଲା SP । ସରକାର ଆତ୍ମସମୀକ୍ଷା କରନ୍ତୁ ବୋଲି କହିଲେ ସମାଜବାଦୀ ପାର୍ଟିର ରାଜ୍ୟ ମୁଖ୍ୟ ରବି ବେହେରା । ଅଧିକ ପଢନ୍ତୁ

Farmers Monthly Income: ଆତ୍ମ ସମୀକ୍ଷା କରନ୍ତୁ ସରକାର କହିଲା SP
Farmers Monthly Income: ଆତ୍ମ ସମୀକ୍ଷା କରନ୍ତୁ ସରକାର କହିଲା SP

ଭୁବନେଶ୍ବର: ରାଜ୍ୟ ସରକାର କୃଷକଙ୍କ ପାଇଁ ସ୍ଵତନ୍ତ୍ର କୃଷି ବଜେଟ କରୁଛନ୍ତି । ସ୍ଵତନ୍ତ୍ର କୃଷି ବଜେଟ କରିବାରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ । ଏହା ବ୍ୟତୀତ ଚାଷୀଙ୍କୁ ମାଗଣାରେ ମୋବାଇଲ ଫୋନ୍ ମଧ୍ୟ ସରକାର ଦେଇଛନ୍ତି । କାଳିଆ ଓ ବଳରାମ ଯୋଜନାରେ ଚାଷୀଙ୍କୁ ସହଜ କିସ୍ତିରେ ଅନୁଦାନ ରାଶି ଓ ଋଣ ଯୋଗାଇ ଦିଆଯାଉଛି । କିନ୍ତୁ ଏସବୁ ସତ୍ତ୍ବେ ଓଡ଼ିଶାର ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ଦେଶର ଚାଷୀମାନଙ୍କ ଠାରୁ ତଳ ଆଡୁ ଦ୍ଵିତୀୟ ସ୍ଥାନରେ ରହିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଆତ୍ମ ସମୀକ୍ଷା କରିବାର ଆବଶ୍ୟକତା ରହିଛି । ଏହା କହିଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ମୁଖ୍ୟ ରବି ବେହେରା ।

ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ୫୧୧୨ଟଙ୍କା । କେବଳ ଝାଡଖଣ୍ଡ ଓଡ଼ିଶାଠାରୁ ପଛରେ ଅଛି । ଏହାର ଆୟ ମାସକୁ ୪୮୯୫ ଟଙ୍କା । କୃଷକଙ୍କର ଆୟ ଦୃଷ୍ଟିରୁ ସବୁଠାରୁ ଆଗରେ ଅଛି ମେଘାଳୟ । ଏହି ରାଜ୍ୟରେ କୃଷକମାନଙ୍କର ମାସିକ ଆୟ ୨୯, ୩୪୮ ଟଙ୍କା ଏବଂ ତା'ତଳକୁ ପଞ୍ଜାବ ୨୬, ୭୦୧ ଟଙ୍କା । ଜାତୀୟ ନମୁନା ସର୍ଭେରେ ପୂର୍ବରୁ ମଧ୍ୟ ଓଡ଼ିଶା ଚାଷୀଙ୍କ ଦୂରାବସ୍ଥା ବିଷୟରେ ପ୍ରକାଶ କରାଯାଇଛି । ଦାରିଦ୍ର୍ୟ କ୍ଷେତ୍ରରେ ଓଡ଼ିଶା ନବମ ସ୍ଥାନରେ । ଚାଷୀମାନଙ୍କ ଏହି ଦୂରାବସ୍ଥା ରାଜ୍ୟର ସମସ୍ତ ରାଜନୈତିକ ଦଳମାନଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କର ଏ ଦିଗରେ ସବୁଠାରୁ ବଡ଼ ଦାୟିତ୍ବ ଅଛି । ତେଣୁ ସରକାରଙ୍କ ପାଇଁ ଏହି ସର୍ବେକ୍ଷଣ ହେଉଛି ଆତ୍ମସମୀକ୍ଷା ପାଇଁ ଆହ୍ବାନ ।



ରାଜ୍ୟର ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ସେମାନଙ୍କ ମଧ୍ୟରୁ ୮୪ ଭାଗ ହେଉଛନ୍ତି ଭାଗଚାଷୀ । ଚାଷୀମାନଙ୍କ ପାଇଁ ସରକାର ଯଦି ସ୍ଵତନ୍ତ୍ର ନୀତି ପ୍ରଣୟନ ନ କରନ୍ତି, ତେବେ ଓଡ଼ିଶାର ଚାଷୀମାନଙ୍କ ଅବସ୍ଥାରେ ସୁଧାର ଆସିପାରିବ ନାହିଁ । ଅଧିକାଂଶ ସ୍ଥାନରେ ଚାଷକାର୍ଯ୍ୟ ଆରମ୍ଭ ହୋଇସାରିଲା ପରେ ଚାଷୀଙ୍କୁ ଋଣ ମିଳିବା ଦେଖାଯାଉଛି । ଚାଷୀ ଯାହା ଉତ୍ପାଦନ କରୁଛି ତାହାର ଉପଯୁକ୍ତ ମୂଲ୍ୟ ମଧ୍ୟ ପାଇପାରୁ ନାହିଁ । ଏହା ସାଙ୍ଗକୁ ବନ୍ୟା, ବାତ୍ୟା, ମରୁଡ଼ି ଓ ରୋଗପୋକ ଯୋଗୁ ଓଡ଼ିଶାର ଚାଷୀମାନେ ଦୁର୍ଦ୍ଦିନ ଅବସ୍ଥା ଭିତରେ ଗତି କରୁଛନ୍ତି । କୃଷି କମିଶନଙ୍କ ସୁପାରିଶ ରାଜ୍ୟ ସରକାର କାର୍ଯ୍ୟକାରୀ ମଧ୍ୟ କଲେନାହିଁ ।



୧୫ ଦିନ ତଳେ ଅଦିନିଆ ବର୍ଷା ଯୋଗୁଁ ପାଚିଲା ଧାନ ଓ ପନିପରିବା ନଷ୍ଟ ହୋଇଯାଇଥିଲା । ଯେତିକି ବଞ୍ଚିକି ଥିଲା ଆଗାମୀ ୩ ଓ ୪ ତାରିଖ ଦିନ ଆସୁଥିବା ବର୍ଷା ଓ ବାତ୍ୟା ଯୋଗୁଁ ଧାନ ଓ ପନିପରିବା ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ଦିଗରେ ସରକାର ତୁରନ୍ତ ଏକ ବିଶେଷଜ୍ଞ କମିଟି, କୃଷକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳମାନଙ୍କୁ ନେଇ ଏକ ବୈଠକ କରିବା ସହିତ ଚାଷୀ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ଦାବି କରୁଛି ।

ଏହା ସହିତ କୃଷିର ଆନୁସଙ୍ଗିକ ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ଉତ୍ପାଦନ, ଆଖୁ ଚାଷ ଓ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ଦିଗରେ ସରକାର ସ୍ଵତନ୍ତ୍ର ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ଋଷୀର ଉତ୍ପାଦନ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥାକୁ ସୁସଂହତ ନକଲେ ଚାଷୀର ଅର୍ଥନୈତିକ ଅବସ୍ଥାର ଉନ୍ନତି ହେବ ନାହିଁ ବୋଲି ପାର୍ଟିର ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ କହିଛନ୍ତି । ତେଣୁ ଅଣ୍ଡା ଫିଙ୍ଗା ରାଜନୀତି ଛାଡ଼ି ରାଜନୈତିକ ଦଳମାନେ ଓ ସରକାର ଚାଷୀଙ୍କର ଅର୍ଥନୈତିକ ପ୍ରଗତି ଓ ମାସିକ ରୋଜଗାରକୁ ବୃଦ୍ଧି କରିବା ଦିଗରେ ଠୋସ୍ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Dec 1, 2021, 9:40 AM IST

ABOUT THE AUTHOR

...view details