ଭୁବନେଶ୍ବର: ନିଶା ପାଇଁ ଭୁଲିଗଲା ମାନବିକତା । ଟଙ୍କା ପାଇ ନେବାକୁ ପଛାଇଲାନି ଜୀବନ। ନିଶା ଟିକେ କିଣିବାକୁ ଶେଷରେ ଗଡାଇଲା ମାର ମୁଣ୍ଡ। ସାମାନ୍ୟ କେଇଟା ଟଙ୍କା ପାଇଁ ପୁଅ ହତ୍ୟା କଲା ନିଜ ଜନ୍ମ କଲା ମାକୁ। ଭୁବନେଶ୍ବର ବଡଗଡ ଥାନା କଳିଙ୍ଗ ବସ୍ତିରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ଟଙ୍କା ମାଗିବାକୁ ଯାଇ ବଡ ପୁଅ ପ୍ରଶାନ୍ତ ଜେନା ନିଜ ମା ରଶ୍ମିତା ଜେନାକୁ ଏକ ରେଡିଓରେ ହତ୍ୟା ପରେ ଶେଷରେ ଲୁଗା ଗୁଡାଇ ନିଆଁ ଲଗାଇ ଦେଇଥିଲା ।
ନିଶା ପାଇଁ ସବୁକିଛି ଭୁଲି ଯାଉଥିବା ମଣିଷଟିଏ କିପରି ରକ୍ତମୁଖା ପାଲଟିଯାଏ ତାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ପରେ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ହତ୍ୟାକାଣ୍ଡ ଘଟାଇଥିବା ସ୍ଥଳରେ ପୋଲିସ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି। ଘରର କାନ୍ଥରେ ଲାଗିଥିବା ପୋଡା ଦାଗ ସହ ପୋଡା ଲୁଗା । ହତ୍ୟାରେ ବ୍ୟବହାର କରିଥିବା ଭଙ୍ଗା ରେଡିଓ ଓ ଟିଭି ଆଣ୍ଟିନାକୁ ସଂଗ୍ରହ କରିଛି ପୋଲିସ।
ଏଥିସହ ପାରିପାଶ୍ବିକ ପ୍ରମାଣ ସହ ପରିବାର ଲୋକଙ୍କ ଷ୍ଟେଟମେଣ୍ଟ ସଂଗ୍ରହ କରିଛି ପୋଲିସ। ତେବେ ଜଣେ ନିଶାରେ ଚୁର ରହୁଥିବା ଲୋକ କିପରି ଏଭଳି ଏକ ହତ୍ୟାକାଣ୍ଡ ଘଟାଇଲା ତାହା ପୋଲିସ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହୋଇଛି । କାରଣ ବସ୍ତି ଚାଲ ଅଭିଯାନ ଜରିଆରେ ପୋଲିସ ବସ୍ତିରୁ ନିଶା କାରବାର ରୋକ ଲଗାଇବାକୁ ଚାହୁଁଛି ।