ଭୁବନେଶ୍ବର: 'ମୃତ୍ତିକା ବଞ୍ଚାଅ' ବାର୍ତ୍ତା ନେଇ ଜନସଚେତନତା ପାଇଁ ଏଆଇପିଏଚ ବିଶ୍ବବିଦ୍ୟାଳୟ ପକ୍ଷରୁ ରାଜଧାନୀରେ ସାଇକ୍ଲୋଥନ ଆୟୋଜିତ । ବିଶ୍ବବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ଡା. ଆଦିତ୍ୟ ପ୍ରସାଦ ଦାଶ ପତାକା ଦେଖାଇ ଡମଣା ଛକରୁ ଏହାର ଶୁଭାରମ୍ଭ କରିଥିଲେ । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ସହଭାଗିତାରେ ଏହି ସାଇକ୍ଲୋଥନର ଆୟୋଜନ କରାଯାଇଥିଲା । ଏଥିପାଇଁ ବିଏମସି ପକ୍ଷରୁ ଓଡ଼ିଶା ସରକାରଙ୍କ ମୋ ସାଇକେଲ ଯୋଗାଇ ଦିଆଯାଇଥିଲା ।
ଏଆଇପିଏଚ ବିଶ୍ବବିଦ୍ୟାଳୟ ପକ୍ଷରୁ 'ମୃତ୍ତିକା ବଞ୍ଚାଅ' ସଚେତନତା ଅଭିଯାନ ଅନ୍ତର୍ଜାତୀୟ ସ୍ତରରେ ମୃତ୍ତିକାର ମାନ ସଂରକ୍ଷଣକୁ ନେଇ ଇଶା ଫାଉଣ୍ଡସନର ପ୍ରତିଷ୍ଠାତା ସଦଗୁରୁ 'ସେଭ୍ ସଏଲ୍' ଅଭିଯାନ ଆରମ୍ଭ କରିଛନ୍ତି । ଏହି ବାର୍ତ୍ତାକୁ ପ୍ରସାରିତ କରିବା ପାଇଁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକା, ଇଶା ଫାଉଣ୍ଡେସନ ଭୁବନେଶ୍ବର ଶାଖାର ସଦସ୍ୟ ଏବଂ ସାଇକେଲପ୍ରେମୀମାନେ ରଘୁନାଥପୁର ପର୍ଯ୍ୟନ୍ତ ସାଇକେଲ ଯାତ୍ରା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି 'ସେଭ୍ ସଏଲ୍' ସଙ୍ଗୀତ ତାଳେତାଳେ ନୃତ୍ୟ ପରିବେଷଣ କରି ରାସ୍ତାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏଆଇପିଏଚ ବିଶ୍ବବିଦ୍ୟାଳୟ ପକ୍ଷରୁ 'ମୃତ୍ତିକା ବଞ୍ଚାଅ' ସଚେତନତା ଅଭିଯାନ ବିଶ୍ବବିଦ୍ୟାଳୟ କୁଳପତି ଆୟୋଜିତ ଏହି ସାଇକ୍ଲୋଥନର ଲକ୍ଷ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ମୃତ୍ତିକା ବଞ୍ଚାଇବା ଅଭିଯାନକୁ ସଫଳ କରିବା ପାଇଁ ଯୁବବର୍ଗଙ୍କୁ ଆହ୍ବାନ କରିଥିଲେ । ଏଆଇପିଏଚ ବିଶ୍ବବିଦ୍ୟାଳୟ ବୋର୍ଡ ଅଫ ଗଭର୍ଣ୍ଣର୍ସର ସଭାପତି ତଥା ଆମେରିକାସ୍ଥିତ ଜର୍ଜ ଟାଉନ ବିଶ୍ବବିଦ୍ୟାଳୟର ପ୍ରଫେସର ପିନାକୀ ପାଣିଗ୍ରାହୀ ଏଥିରେ ଯୋଗଦେଇ ମୃତ୍ତିକାର ଗୁଣବତ୍ତାକୁ ନେଇ ସୃଷ୍ଟି ହୋଇଥିବା ଆହ୍ବାନ ତୃତୀୟ ବିଶ୍ବଯୁଦ୍ଧର କାରଣ ହୋଇପାରେ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ମ୍ୟାନେଜର ଅମିତାଭ ମହାନ୍ତି, ଟ୍ବେଣ୍ଟିଟୁ ବାଇକର ପ୍ରତିଷ୍ଠାତା ଅଜୟ ନନ୍ଦ ଏବଂ ଇଶା ଫାଉଣ୍ଡେସନର ସ୍ଥାନୀୟ ସଂଯୋଜକ ନିହିତ ମିଶ୍ର ପ୍ରମୁଖ ସାମିଲ ଥିଲେ ।
ସୂଚନାଯୋଗ୍ୟ ଜନସ୍ବାସ୍ଥ୍ୟ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ପ୍ରଥମ ତଥା ଏକମାତ୍ର ବିଶ୍ବବିଦ୍ୟାଳୟ ଭାବେ ଏଆଇପିଏଚ ବିଶ୍ବବିଦ୍ୟାଳୟ ପରିଗଣିତ । ଏଠାରେ ପବ୍ଲିକ ହେଲଥ୍, ଆଲାଏଡ ହେଲଥ ସାଇନ୍ସସେସ, ବାୟୋଲୋଜିକାଲ ସାଇନ୍ସସେସ ଏବଂ ହେଲଥ ମ୍ୟାନେଜମେଣ୍ଟ ଆଦି ବିଷୟରେ ସ୍ନାତକ, ସ୍ନାତକୋତ୍ତର ଡିଗ୍ରୀ, ଏମବିଏ, ଡକ୍ଟରେଟ ଏବଂ ପୋଷ୍ଟ ଡକ୍ଟରାଲ ପାଠ୍ୟକ୍ରମ ରହିଛି । ଫୁଲନଖରା ନିକଟସ୍ଥ ଇଷ୍ଟ କ୍ୟାମ୍ପସରେ ଚାଲିଥିବା ଏହି ବିଶ୍ବବିଦ୍ୟାଳୟରେ ଧନ୍ଦାମୂଳକ ଓ ଦକ୍ଷତା ବିକାଶ ତାଲିମ ପାଠ୍ୟକ୍ରମ ମଧ୍ୟ ଦିଆଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର