ଓଡିଶା

odisha

ETV Bharat / city

ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ସାମାଜିକ ସେବା କାର୍ଯ୍ୟକ୍ରମ - Biju Youth Student Janata Dal

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସାମାଜିକ ସେବା କାର୍ଯ୍ୟକ୍ରମ । ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ହେବ ଏ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ....

ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ସାମାଜିକ ସେବା କାର୍ଯ୍ୟକ୍ରମ
ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ସାମାଜିକ ସେବା କାର୍ଯ୍ୟକ୍ରମ

By

Published : Oct 1, 2021, 6:54 AM IST

ଭୁବନେଶ୍ବର :ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସାମାଜିକ ସେବା କାର୍ଯ୍ୟକ୍ରମର ଆୟୋଜନ କରିବ ବିଜୁ ଯୁବ- ଛାତ୍ର ଜନତା ଦଳ । ଏନେଇ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ରହିଛି ନିର୍ଦ୍ଦେଶ । ଏହାକୁ ଦୃଷ୍ଟିରେ ରଖି ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ଓ୍ବେବିନାରରେ ଆୟୋଜିତ ହୋଇଥିବା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ।

ପ୍ରଣବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳର ପ୍ରତ୍ୟେକ ଯୁବକ ଏବଂ ଛାତ୍ରମାନେ ସେବାବ୍ରତୀ ହେବା ଆବଶ୍ୟକ । ଏହି ସାମାଜିକ କାର୍ଯକ୍ରମ ମାଧ୍ୟମରେ ସମାଜର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ସାହାଯ୍ୟ କରିବାକୁ ସେ ଆହ୍ୱାନ କରିଛନ୍ତି । ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ବ୍ୟୋମକେଶ ରାୟଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ଓ୍ବେବିନାରରେ ସମ୍ମାନିତ ଅତିଥି ଭାବେ ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ତଥା ବିଧାୟକ ଧର୍ମଶାଳା ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ବିଷୟରେ ସବିଶେଷ ଖସଡ଼ା ପ୍ରଦାନ କରିଛନ୍ତି ।

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଆୟୋଜନ କରାଯାଉଥିବା ଜନ ସମ୍ପର୍କ ପଦଯାତ୍ରା ପରିବର୍ତ୍ତେ ସେବା କାର୍ଯ୍ୟକ୍ରମ କରିବା ଲାଗି ଦଳ ନିଷ୍ପତ୍ତି ନେଇଛି । ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଦୀର୍ଘ ଏକ ମାସ ଧରି ଓଡ଼ିଶାର ସମସ୍ତ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରରେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ କରିବ ଦଳ । ରକ୍ତଦାନ, ଶ୍ରମଦାନ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଭିନ୍ନ ଚିକିତ୍ସାଳୟ ପରିସର, ନିକଟସ୍ଥ ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୁତି ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ କରାଯିବ ।

ସେହିପରି ବିଜୁ ଛାତ୍ର ଜନତା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ପରିସର ଏବଂ ଏହାର ପାରିପାର୍ଶ୍ବିକ ସ୍ଥାନ ତଥା ରାସ୍ତା ଘାଟକୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ରହିଛି । ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏହି ସାମାଜିକ ସେବା କାର୍ଯ୍ୟକ୍ରମ ଅନନ୍ୟ ଉଦାହରଣ ସୃଷ୍ଟି କରିବ । ଏହି ଓ୍ବେବିନାରରେ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଜୋନ୍ ସଭାପତି ଜିଲ୍ଲା ସଭାପତି, ବ୍ଲକ ସଭାପତି, ଆଇ.ଟି ସଂଯୋଜକ ଏବଂ ଡିଜିଟାଲ ସେକ୍ରେଟାରୀ ପ୍ରମୁଖ ଯୋଗ ଦେଇଥିଲେ । ଏ ନେଇ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ABOUT THE AUTHOR

...view details