ଓଡିଶା

odisha

ETV Bharat / city

ବିପର୍ଯ୍ୟୟକୁ ବଳିଗଲା ସର୍ପାଘାତ ମୃତ୍ୟୁସଂଖ୍ୟା ! - ସାପ କାମୁଡାରେ ଓଡିଶା ମୃତ୍ୟୁସଂଖ୍ୟା

ଆଶ୍ଚର୍ଯ୍ୟ କରିଦେବ ରାଜ୍ୟରେ ସର୍ପାଘାତ ମୃତ୍ୟୁସଂଖ୍ୟା । ପ୍ରାକୃତିକ ବିପର୍ଯ୍ୟୟ ଅପେକ୍ଷା ରାଜ୍ୟରେ ସର୍ପାଘାତରେ ଯାଉଛି ଅଧିକ ଲୋକଙ୍କ ପ୍ରାଣ । ସଚେତନତାର ଅଭାବ ଏବଂ ଅନ୍ଧ ବିଶ୍ବାସ କାରଣରୁ ଏପରି ଘଟୁଥିବା ବିଶେଷଜ୍ଞଙ୍କ ମତ । ଅଧିକ ଢନ୍ତୁ...

ବିପର୍ଯ୍ୟୟକୁ ବଳିଗଲା ସର୍ପାଘାତ ମୃତ୍ୟୁସଂଖ୍ୟା !
ବିପର୍ଯ୍ୟୟକୁ ବଳିଗଲା ସର୍ପାଘାତ ମୃତ୍ୟୁସଂଖ୍ୟା !

By

Published : Jul 22, 2021, 5:02 PM IST

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ଅପେକ୍ଷା ରାଜ୍ୟରେ ବଢୁଛି ସର୍ପାଘାତରେ ମୃତ୍ୟୁସଂଖ୍ୟା । ଗତ 5 ବର୍ଷରେ ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା 36 ଶହ ଟପିଥିବାବେଳେ ସଚେତନତାର ଅଭାବ ଓ ଅନ୍ଧବିଶ୍ୱାସ ଯୋଗୁଁ ସଂଖ୍ୟା ବଢୁଥିବା ଅଭିଯୋଗ ହୋଇଛି । ସତର୍କ ହେବା ସହ ଅନ୍ଧବିଶ୍ୱାସରୁ ଦୁରେଇବାକୁ ପରାମର୍ଶ ଦେଲେ ବନ୍ୟ ପ୍ରାଣୀ ତତ୍ୱାବଧାରକ ଓ ଡାକ୍ତର । ବର୍ଷାଦିନେ ପ୍ରଜନନ ଯୋଗୁଁ ଏବେ ଅହେତୁକ ଭାବେ ସାପ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସର୍ପାଘାତରେ ରାଜ୍ୟରେ ଅନେକ ମୃତାହତ ହେଉଥିବା ଖବର ମଧ୍ୟ ଆସୁଛି । ଏନେଇ ସତର୍କ କରାଇଛନ୍ତି ବନ୍ୟ ପ୍ରାଣୀ ତତ୍ୱାବଧାରକ ଓ ଡାକ୍ତର ।

ବିପର୍ଯ୍ୟୟକୁ ବଳିଗଲା ସର୍ପାଘାତ ମୃତ୍ୟୁସଂଖ୍ୟା !

ପ୍ରତିବର୍ଷ ଜାନୁଆରୀ ଓ ଫେବୃଆରୀ ମାସରୁ ସାପ ମାନଙ୍କର ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୁଏ । ଏହି ସମୟରୁ ସାପଙ୍କର ମିଳନ/ସେକ୍ସ ବା ମେଟିଙ୍ଗରୁ ଆରମ୍ଭ ହୋଇ ବର୍ଷା ଦିନ ବା ଜୁଲାଇ କିମ୍ବା ଅଗଷ୍ଟ ମାସରେ ଛୁଆ ଜନ୍ମ ପ୍ରକ୍ରିୟାରେ ଶେଷ ହୁଏ । କିଛି ସାପ ଅଛନ୍ତି, ଯେଉଁମାନେ ଅଣ୍ଡା ଦିଅନ୍ତି, ପରେ ଏଥିରୁ ଛୁଆ ଫୁଟେ । ମେ ମାସରେ ସାପ ଅଣ୍ଡା ଦେବା ଆରମ୍ଭ କରନ୍ତି । ନାଗ, ତମ୍ପ, ଧଣ୍ଡ, ଅଜଗର ଏହି ସାପ ବର୍ଗରେ ଯାଆନ୍ତି, ଯେଉଁମାନେ ଅଣ୍ଡା ଦିଅନ୍ତି । ଆଉ କିଛି ମାସ ପରେ ଏହି ଅଣ୍ଡାରୁ ଛୁଆ ହୁଏ । ଆଉ କିଛି ସାପ ଅଛନ୍ତି ସେମାନେ ସିଧାସଳଖ ଛୁଆ ହିଁ ଦିଅନ୍ତି । ଭାଇପରମାନେ ଛୁଆ ଦିଅନ୍ତି । ଚନ୍ଦନବୋଡ଼ା, ଲାଉଡଙ୍କିଆ ଓ କାଉଚିଆ ସାପ ଏହି ପ୍ରଜାତିର ଅଟନ୍ତି । ସେମାନେ ସିଧାସଳଖ ଛୁଆ ଜନ୍ମ କରନ୍ତି ।

ନାଗ, ତମ୍ପ, ଅଜଗର ବା ଧଣ୍ଡ ସାପ ଆଦି ଅଣ୍ଡା ଦେଲା ପରେ କିଛି ଦିନ ଗଲା ପରେ ଅଣ୍ଡା ଫୁଟି ଛୁଆ ବାହାରକୁ ବାହାରିଥାନ୍ତି । କାଉଚିଆ, ଚନ୍ଦନବୋଡ଼ା, ଲାଉଡଙ୍କିଆ ସାପଙ୍କ କ୍ଷେତ୍ରରେ ଭିନ୍ନ ଧରଣର ପ୍ରଜନନ ଦେଖା ଦେଇଥାଏ । କାଉଚିଆ ସିଧାସଳଖ 4 ରୁ 18 ଯାଏଁ ଛୁଆ ଜନ୍ମ କରିବାର ରିପୋର୍ଟ ଅଛି । ଅଜଗର 20 ରୁ ଅଧିକ ସଂଖ୍ୟକ ଅଣ୍ଡା ଦେଉଥିବାର ଲକ୍ଷ୍ୟ କରାଯାଇଛି । ସେହିପରି ଅଧିକାଂଶ ସାପ 20ରୁ ଅଧିକ ଅଣ୍ଡା କିମ୍ବା ଛୁଆ ଦେଉଥିବାର ନଜିର ରହିଛି । ତେବେ ମା' ସାପ ଛୁଆଙ୍କର ଯତ୍ନ ନିଅନ୍ତି ନାହିଁ । କିମ୍ବା ଶୀକାର କରିବା ଶିଖାନ୍ତି ନାହିଁ । ସେମାନେ ନିଜେ ନିଜେ ଶୀକାର କରିବା ଶିଖନ୍ତି । ନଚେତ ଜୀବନ ଯୁଦ୍ଧରେ ହାରି ମୃତ୍ୟୁ ବରଣ କରନ୍ତି ।

ଉଭୟ ଜଳ ଓ ସ୍ଥଳ ଭାଗରେ ସାପ ଦେଖିବାକୁ ମିଳନ୍ତି । ଜଳ ଭାଗ କହିଲେ ସାମୁଦ୍ରିକ ସାପ । ସମସ୍ତ ସାମୁଦ୍ରିକ ବିଷଧର ଅଟନ୍ତି । କିନ୍ତୁ ବିଶେଷ ଏହି ସାମୁଦ୍ରିକ ସାପର ପ୍ରଭାବ ମଣିଷ ସମାଜ ଉପରେ ପଡେନାହିଁ । କିମ୍ବା ସାମୁଦ୍ରିକ ସାପ ସ୍ଥଳ ଭାଗକୁ ଆସି ସମସ୍ୟା ସୃଷ୍ଟି କରନ୍ତି ନାହିଁ । ଏମିତି ନଜିର ମଧ୍ୟ ନାହିଁ । ଦେଶରେ ପ୍ରାୟ 3 ଶହ ପ୍ରକାରର ସାପ ଦେଖିବାକୁ ମିଳନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ 50 ଟି ସାପକୁ ବିଷଧର ବୋଲି ଗଣାଯାଏ । ସେହିପରି ଆମ ରାଜ୍ୟରେ ସ୍ଥଳ ଭାଗରେ ପ୍ରାୟ 70 ରୁ 80 ପ୍ରକାରର ସାପ ଦେଖିବାକୁ ମିଳନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଷହୀନ ସାପ ଅଟନ୍ତି । ସେହି ସାପ କାମୁଡିବା ଦ୍ବାରା ଜୀବନହାନୀ ହେବନାହିଁ । କିନ୍ତୁ 15 ରୁ 20 ପ୍ରକାର ସାପ ରହିଛନ୍ତି, ଯାହାଙ୍କୁ ବିଷଧରରେ ଗଣାଯାଏ । ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ 10 ପ୍ରକାରର ସାପ ରହିଛି, ଯାହା ଅତ୍ୟନ୍ତ ବିଷଧର ଶ୍ରେଣୀରେ ଅନ୍ତର୍ଭୁକ୍ତ । ତାଙ୍କର ଗୋଟିଏ ଦଂଶନରେ କିଛି ଘଣ୍ଟା ମଧ୍ୟରେ ଜୀବନ ଚାଲିଯିବାର ଭୟ ରହିଥାଏ ।

ସେହି ବିଷଧରଙ୍କ ମଧ୍ୟରେ ରହିଛନ୍ତି କୋବ୍ରା, ଭାଇପର ଓ କ୍ରାଇଟ୍ସ । ରାଜ୍ୟରେ ଦୁଇ ପ୍ରକାର କୋବ୍ରା ଦେଖିବାକୁ ମିଳନ୍ତି । ଗୋଟେ ହେଉଛି ସ୍ପେକ୍ଟାକ୍ଲିଡ କୋବ୍ରା ବା ନାଗ ଓ ମୋନୋସେଲ୍ଲାଟ କୋବ୍ରା ବା ତମ୍ପ । ତିନି ପ୍ରକାର ଭାଇପର ଦେଖିବାକୁ ମିଳନ୍ତି । ରୁସେଲ୍ସ ଭାଇପର ବା ଚନ୍ଦନ ବୋଡ଼ା, ସ ସ୍କେଲ ଭାଇପର ବା ଧୁଳିଆ ବୋଡ଼ା ଏବଂ ବାମ୍ବୋ ପିଟ ଭାଇପର ବା ଡ଼ାଳୁଆ ବୋଡ଼ା । ସେହିପରି ଦୁଇ ପ୍ରକାର କ୍ରାଇଟ୍ସ ଦେଖିବାକୁ ମିଳନ୍ତି । କମନ କ୍ରାଇଟ୍ସ ବା ଚିତି ଏବଂ ବାଣ୍ଡେଡ଼ କ୍ରାଇଟ୍ସ ବା ରଣା ।


ବିନୋସେଲ୍ଲଟ ବା ଗୋଖର ସାପ ମଧ୍ୟ ବିଷାକ୍ତ ସାପ ମଧ୍ୟରୁ ଅନ୍ୟତମ । ଏହା ଛଡା କିଙ୍ଗ କୋବ୍ରା ବା ଅହିରାଜ ସାପକୁ ବିଶ୍ଵର ସବୁଠାରୁ ବିଷଧର ସାପ ଭାବେ ଗଣାଯାଏ । ସ୍ଥଳଭାଗରେ ରହୁଥିବା ଏହି ସାପ ଓଡ଼ିଶାରେ ପ୍ରବଳ ମାତ୍ରରେ ଦେଖିବାକୁ ମିଳନ୍ତି । ଏହି ସବୁ ସାପ ସମ୍ପୂର୍ଣ୍ଣ ବିଷଧର । ଏମାନଙ୍କର ଗୋଟେ ଚୋଟରେ ଜୀବନ ଯିବାର ସର୍ବାଧିକ ସମ୍ଭାବନା ରହିଛି । ରାଜ୍ୟରେ ନାଗ, ତମ୍ପ, ଚିତି, ରଣା, ଗୋଖର, ଚନ୍ଦନ ବୋଡ଼ା ଓ ଧୁଳିଆ ବୋଡ଼ା ଦଂଶନରେ ଅଧିକ ମୃତ୍ୟୁ ହେଉଥିବା ରିପୋର୍ଟ ହେଉଛି ।

ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତମ୍ପ, ନାଗ, ଚନ୍ଦନ ବୋଡ଼ା, ରଣା, ଚିତି ସାପ ପ୍ରବଳ ମାତ୍ରାରେ ଦେଖିବାକୁ ମିଳନ୍ତି । ଏହି ସାପ ଦଂଶନ ଯୋଗୁଁ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ ଯାଜପୁରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହେଉଥିବା ସୂଚନା ରହିଛି । ସେହିପରି ଗୋଖର ସାପ ମଧ୍ୟ ଏହି ଅଞ୍ଚଳରେ ଦେଖିବାକୁ ମିଳନ୍ତି । ପ୍ରାୟ 80 ପ୍ରତିଶତରୁ ଅଧିକ ଲୋକ ମେ ମାସରୁ ଅକ୍ଟୋବର ମାସ ମଧ୍ୟରେ ସର୍ପାଘାତରେ ମୃତ୍ୟୁମୁଖରେ ପଡ଼ିଥାନ୍ତି । ବର୍ଷା ଦିନ ଓ ବନ୍ୟା ପ୍ରଭାବିତ ହେଉଥିବା ଉପକୂଳବର୍ତୀ ଜିଲ୍ଲା ବାଲେଶ୍ଵର, ଭଦ୍ରକ, ଗଞ୍ଜାମରେ ଜୁଲାଇ, ଅଗଷ୍ଟ ମାସରେ ଅଧିକ ମୃତ୍ୟୁ ହେଉଥିବା ରିପୋର୍ଟ ହେଉଛି ।

ସରକାରଙ୍କ ରିପୋର୍ଟ କହୁଛି ଗତ 5 ବର୍ଷରେ ସର୍ପାଘାତରେ 3635 ଜଣଙ୍କର ମୃତ୍ୟୁ ହୋଇଛି । 2019/20 ରେ 918 ଜଣଙ୍କ ସର୍ପ ଦଂଶନରେ ଜୀବନ ଯାଇଛି । ସେହିପରି 2018/19ରେ 811, 2017/18ରେ 823, 2016/17ରେ 605, 2015/16ରେ 478 ଜଣଙ୍କର ମୃତ୍ୟୁ ହୋଇଛି । 14ଟି ଜିଲ୍ଲାରେ ଏହି ସମୟରେ ଶହେରୁ ଅଧିକ ସର୍ପାଘାତ ସଂଖ୍ୟା ସାମ୍ନାକୁ ଆସିଛି । ମୟୂରଭଞ୍ଜରେ ସର୍ବାଧିକ ରିପୋର୍ଟ ହୋଇ ଥିବାବେଳେ ଗଞ୍ଜାମ ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ଯାଜପୁର, ସମ୍ବଲପୁର, କଟକ, ଢେଙ୍କାନାଳ, ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କେନ୍ଦ୍ରାପଡା ଓ ପୁରୀରେ ମୃତ୍ୟୁସଂଖ୍ୟା 100 ଟପିଛି ।

ସର୍ପାଘାତରେ ଯେତିକି ମୃତ୍ୟୁସଂଖ୍ୟା ବଢୁଛି, ତାହାର ବଡ଼ କାରଣ ହେଉଛି ଅନ୍ଧବିଶ୍ୱାସ । ରାଜ୍ୟରେ 70 ପ୍ରତିଶତ ଲୋକେ ଗ୍ରାମାଞ୍ଚଳରେ ବସବାସ କରିଥିବାରୁ ଶିକ୍ଷା ଅଭାବରୁ ସେମାନେ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହେଉଥିବା କୁହାଯାଏ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ଅନ୍ଧବିଶ୍ୱାସ ଓ ଗୁଣିଗାରେଡି କୁସଂସ୍କାର କାରଣରୁ ଏହି ସବୁ ଜିଲ୍ଲାରେ ସର୍ପାଘାତ ମୃତ୍ୟୁସଂଖ୍ୟା ସମ୍ନାକୁ ଆସିଛି । ଏହା ସହ ଠିକ ସମୟରେ ଚିକିତ୍ସା ଅଭାବ, ବିଶେଷଜ୍ଞ ଡାକ୍ତର ସମସ୍ୟା, ଯୋଗାଯୋଗ ଓ ଆମ୍ବୁଲାନ୍ସ ବ୍ୟବସ୍ଥା ସମସ୍ୟା ଯୋଗୁଁ ମଧ୍ୟ ଏହି ମୃତ୍ୟୁ ସଂଖ୍ୟା ବଢିବାର କାରଣ ।

ପ୍ରଥମ 1 ଘଣ୍ଟା ବା ଗୋଲ୍ଡେନ ଆୱାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସଠିକ ସମୟରେ ଆକ୍ରମଣ କରିଥିବା ସାପ ଚିହ୍ନଟ କରି ଆଣ୍ଟି ସ୍ନେକ ଭେନମ(ଏଏସଭି) ବା ସାପ କାମୁଡ଼ା ଇଞ୍ଜେକ୍ସନ ଦିଆଯାଇପାରିଲେ ମୃତ୍ୟୁ ସଂଖ୍ୟା କମା ଯାଇପାରିବ । ଯେକୌଣସି ବିଷାକ୍ତ ସାପର ବିଷ ମାତ୍ରାକୁ ASV ଦ୍ୱାରା ପ୍ରତିହତ କରାଯାଇପାରିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଗୋଲ୍ଡେନ ଆୱାର ମଧ୍ୟରେ ସଠିକ ଚିକିତ୍ସା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କେଉଁ ସାପ ଚିହ୍ନଟ କରିବା ଲାଗି ପ୍ରଥମେ WBCT(Whole blood clotting test) କରାଯାଏ । ଏହା ପରେ ସେହି ଅନୁସାରେ ଚିକିତ୍ସା ଆରମ୍ଭ ହୁଏ ।

ସାପ କାମୁଡ଼ିଲେ ସାଧାରଣତଃ କ୍ଷତରୁ ରକ୍ତ ବାହାରେ, ଦେହରୁ ଅତ୍ୟଧିକ ଝାଳ ବାହାରେ, କାମୁଡ଼ା ସ୍ଥାନ କୁଣ୍ଢେଇ ହେବା ସହ ଝାଳେଇଯାଏ, ବାନ୍ତି ହୁଏ, ଆକ୍ସିଜେନ ସ୍ତର କମ/ବେଶୀ ହୁଏ, ଦୁର୍ବଳ ଲାଗେ, ଆଖି ବୁଜି ହୋଇଆସେ, ମାଂସପେଶୀ ଦୁର୍ବଳ ହୋଇଯାଏ, ରକ୍ତ କଣିକା ଫାଟିବା/ଜମାଟ ବାନ୍ଧିବା ଲକ୍ଷ୍ୟ ଦେଖାଦିଏ । ଓଡିଶାରେ ସାଧାରଣତଃ 2 ପ୍ରକାର ଏଏସଭି ବ୍ୟବହାର କରାଯାଏ । ନ୍ୟୁରୋଟକ୍ସିକ୍ ଯାହା ନାଗ, ଗୋଖର, ବୋଡ଼ା କାମୁଡ଼ିଲେ ଦିଆଯାଏ । ଏହି ପ୍ରଜାତିର ସାପ କାମୁଡ଼ିଲେ ମାଂସପେଶୀ ଦୁର୍ବଳ ହୋଇଯାଏ, ନିଶ୍ୱାସ ପ୍ରଶ୍ବାସ ନେବାରେ ସମସ୍ୟା ହୁଏ, ଆଖି ବୁଜି ହୋଇଆସେ । ସେହିପରି କାର୍ଡିଓଟକ୍ସିକ୍ ଯାହା ତମ୍ପ ଓ ଚିତି କାମୁଡ଼ିଲେ ଦିଆଯାଏ । ଏହି ପ୍ରଜାତିର ସାପ କାମୁଡ଼ିଲେ ରକ୍ତ ଜମାଟ ବାନ୍ଧିବା, ରକ୍ତ କଣିକା ଫାଟିଯାଏ, ଦେହ ଫୁଲିଯାଏ । ନାଗ, ଗୋଖର, ବୋଡ଼ା କାମୁଡ଼ିଲେ ନିଶ୍ୱାସ ପ୍ରଶ୍ବାସ ନେବାରେ ସମସ୍ୟା ହୁଏ, ଭେଣ୍ଟିଲେଟରରେ ଚିକିତ୍ସା ଆବଶ୍ୟକ ପଡେ । ଯଦି ପ୍ରାଥମିକ ଚିକିତ୍ସା ସଠିକ ଭାବେ ହୋଇଥିବ ତେବେ ଭେଣ୍ଟିଲେଟରକୁ ଗଲେ ମଧ୍ୟ 99 ପ୍ରତିଶତ ଲୋକ ସୁସ୍ଥ ହୋଇଯାନ୍ତି । 1 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୁଏ ।

ସାପଙ୍କୁ ଘର କିମ୍ବା ଆଖପାଖ ଅଞ୍ଚଳରୁ ଦୂରେଇ ରଖିବା ପାଇଁ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ବ୍ୟବହାର କରାଯାଉଛି । ମାତ୍ର ଏସବୁ ଯନ୍ତ୍ରପାତି ସେତେଟା ଫଳପ୍ରଦ ନୁହେଁ ବୋଲି ଗବେଷଣାରୁ ଜଣାପଡିଛି । ତେଣୁ ସଚେତନତା ଓ ସଜାଗ ରହିବାକୁ ମୂଳମନ୍ତ୍ର ଭାବେ ଧରି ନିଆଯାଇଛି । ଯଦି ଅନ୍ଧ ବିଶ୍ବାସରୁ ଦୂରେଇ ରହି, ସାପ କାମୁଡିବାର ପ୍ରଥମ ୧ ଘଣ୍ଟା ବା ଗୋଲ୍ଡେନ ଆୱାର କୁହା ଯାଉଥିବା ସମୟ ମଧ୍ୟରେ, ସଠିକ୍ ଚିକିତ୍ସା କରାଯାଏ, ତେବେ ନିଶ୍ଚିତ ଭାବେ ସର୍ପ ଦଂଶନଜନିତ ମୃତ୍ୟୁସଂଖ୍ୟାକୁ ଏଡାଇ ଦିଆଯାଇ ପାରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details