ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍ଷ୍ଟିଚ୍ୟୁଟ ପାଇଁ ଉଚ୍ଛେଦ ହେବ ବସ୍ତି । ରାଜ୍ୟ ସରକାରଙ୍କ ୩୫ ହଜାର ଟଙ୍କା ସହାୟତା ପାଇବା ପରେ ଶ୍ୟାମପୁର ପ୍ଲଟ ୭୦୩ କୁ ଯିବାକୁ ବସ୍ତି ବାସିନ୍ଦା ରାଜି ହୋଇଛନ୍ତି । ହେଲେ ବର୍ଷବର୍ଷ ଧରି ରହିଥିବା ବାସସ୍ଥାନ ଛାଡ଼ିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ ବସ୍ତି ବାସିନ୍ଦା ।
କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍ଷ୍ଟିଚ୍ୟୁଟ: ଉଚ୍ଛେଦ ହେବ ବସ୍ତି, ଶ୍ୟାମପୁର ଯିବେ ବସ୍ତି ବାସିନ୍ଦା ଖାଲି ହେବା ଆରମ୍ଭ ହୋଇଛି ଅକ୍ଷୟ କେନ୍ଦ୍ର ବସ୍ତି । ଶ୍ୟାମପୁରକୁ ସ୍ଥାନାନ୍ତର ହେବେ ବସ୍ତିବାସିନ୍ଦା । ଏହାପରେ ବସ୍ତି ମଧ୍ୟ ଉଚ୍ଛେଦ ହେବ । ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ବସ୍ତି ବାସିନ୍ଦାଙ୍କୁ ବୁଝାସୁଝା କରିବାରେ ସଫଳ ହୋଇଛି । କ୍ୟାପିଟାଲ ହସ୍ପିଟାଲ ଜମିରେ ଗଢ଼ି ଉଠିଥିଲା ବସ୍ତି । ସବୁସୁବିଧା ସୁଯୋଗ ହାତ ପାହାନ୍ତାରେ ଥିଲା । ଯାହା ଏବେ ସେମାନଙ୍କ ପାଇଁ ସାତ ସପନ ହୋଇଛି ।
ବସ୍ତି ବାସିନ୍ଦା ବିକାଶରେ ବାଧକ ସାଜିବା ପରିବର୍ତ୍ତେ ସ୍ବାଗତ କରିଛନ୍ତି । ବସ୍ତିରେ ସବୁ ସଫେଇ କର୍ମଚାରୀ ରହୁଥିଲେ । ପ୍ରାୟ ଅଧିକାଂଶ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଭାବେ କାମ କରି ପେଟ ପୋଷନ୍ତି । ସେପଟେ ସାଧାରଣ ପ୍ରଶାସନ ବିଭାଗ ରେକର୍ଡ ଅନୁଯାୟୀ କ୍ୟାପିଟାଲ ଡାକ୍ତରଖାନା ନାମରେ ୨୭ ଏକର ୨୨୯ ଡେସିମିଲ ଜମି ରହିଛି । ପିଜି ଇନଷ୍ଟିଚ୍ୟୁଟ ନିର୍ମାଣ ପାଇଁ ୫ ଏକର ୧୮୪ ଡିସିମିଲ ଜମି ଆବଶ୍ୟକ ପଡ଼ୁଛି । ବହୁ ପୂର୍ବରୁ ଅକ୍ଷୟ କେନ୍ଦ୍ର ବସ୍ତି ସମେତ ସେବା ମେଡିସିନ ଷ୍ଟୋର ଓ କିଛି ପ୍ରାଇଭେଟ ଆମ୍ବୁଲାନ୍ସ କ୍ୟାପିଟାଲ ହସ୍ପିଟାଲର ବହୁ ଜାଗା ତାଙ୍କ ଦଖଲରେ ରଖିଥିଲେ । ଯାହା ପିଜି ଇନଷ୍ଟିଚ୍ୟୁଟ ନିର୍ମାଣ ପାଇଁ ବାଧକ ସାଜିଥିଲେ ।
କିନ୍ତୁ ଏବେ ଆଉ କୌଣସି ବାଧା ନାହିଁ । ଅକ୍ଷୟ କେନ୍ଦ୍ର ବସ୍ତିରେ ୧୦୦ ବାସିନ୍ଦା ରହୁଥିବାବେଳେ ୭୫ ଜଣଙ୍କ ରାଜୀବ ଆବାସ ଯୋଜନାରେ ନାଁ ରହିଛି ଓ ଅବଶିଷ୍ଟାଶଂ ବିନା ରାଜୀବ ଆବାସ ଯୋଜନାରେ ରହୁଥିଲେ । ତେବେ ସମସ୍ତଙ୍କୁ ଶ୍ୟାମପୁର ପ୍ଲଟ ନମ୍ବର ୭୦୩ ରେ ଥଇଥାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟ କରିବା ରାଜ୍ୟ ସରକାରଙ୍କ ବଡ ଲକ୍ଷ୍ୟ ରହିଛି । ରାଜ୍ୟରେ କ୍ୟାପିଟାଲ ହସ୍ପିଟାଲର ଗୁରୁତ୍ବ ରହୁଥିବାରୁ ପିଜି ଇନଷ୍ଟିଚ୍ୟୁଟ ହେଲେ ମେଧାବୀ ଛାତ୍ରଛାତ୍ରୀ ପାଠ ପଢିବା ସହିତ ହଜାରହଜାର ରୋଗୀଙ୍କ ସେବା ବି କରିପାରିବେ । ତେଣୁ ଅକ୍ଷୟ କେନ୍ଦ୍ର ବସ୍ତି ଉଚ୍ଛେଦ ଜରୁରୀ ଥିଲା । ହେଲେ ଏବେ ବି କିଛି ଲୋକଙ୍କୁ ୩୫ ହଜାର ଟଙ୍କା ସହାୟତା ମିଳିନଥିବା ବେଳେ ବିଭିନ୍ନ ଯୋଜନାରୁ ନାମ କଟି ଯାଇଥିବା ଅଭିଯୋଗ କରିଛନ୍ତି ।