ଓଡିଶା

odisha

ETV Bharat / city

ଓଡିଶା ଉପରେ ପଡ଼ିପାରେ ମାନ୍ଦାବସ୍ଥାର ପ୍ରଭାବ ! - କେନ୍ଦ୍ରୀୟ ଅନୁଦାନ

ରାଜ୍ୟ ଅର୍ଥନୀତି ଉପରେ ପଡ଼ିପାରେ ମାନ୍ଦାବସ୍ଥାର ପ୍ରଭାବ । ଯେତିକି ଅନୁଦାନ କେନ୍ଦ୍ର ଦେବା କଥା, ତାହା କମିବା ନେଇ ଆଶଙ୍କା ଦେଖାଦେଇଛି । ଏପଟେ ଜାତୀୟ ବଜାର ମାନ୍ଦାରେ ଚାଲୁଥିବା ବେଳେ ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିପାରେ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି ଅର୍ଥନୈତିକ ବିଶେଷଜ୍ଞ ।

ଡିଜାଇନ ଫଟୋ

By

Published : Aug 28, 2019, 11:37 PM IST

ଭୁବନେଶ୍ବର: ମାନ୍ଦାବସ୍ଥାର ପ୍ରଭାବ ରାଜ୍ୟରେ ପଡିବା ନେଇ ଉଙ୍କି ମାରୁଛି ଆଶା ଆଶଙ୍କା । ଦେଶର ଜିଡିପି ହାର ଆଗକୁ କମିବ ବୋଲି ବିଭିନ୍ନ ଅର୍ଥନୈତିକ ସର୍ବେକ୍ଷଣ ସଂସ୍ଥା କହିଲେଣି । ଏଭଳି ହେଲେ କେନ୍ଦ୍ରୀୟ ଅନୁଦାନ ମଧ୍ୟ କମିବ । ସେପଟେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ କ୍ଷେତ୍ରରେ ଯେତିକି ଟିକସ ଆଦାୟ ଲକ୍ଷ୍ୟ ରଖିଛନ୍ତି ତାହା ହାସଲ କରିବା କଷ୍ଟ ହୋଇପାରେ । ଏଭଳି ସ୍ଥିତିରେ ରାଜ୍ୟର ବିକାଶ କିଭଳି ଗତିଶୀଳ ହେବ ଏବଂ ସରକାର ବଜେଟରେ ଯେଉଁ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ବରାଦ କରିଥିଲେ ତାକୁ କିଭଳି ଭରଣା କରିବେ ତାକୁ ନେଇ ଉପୁଜିଲାଣି ଦ୍ବନ୍ଦ୍ବ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ କଣ ପଡିବ ରାଜ୍ୟ ଅର୍ଥନୀତି ଉପରେ ? ସରକାର ଯେଉଁ ୧ ଲକ୍ଷ ୩୯ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସେ ଲକ୍ଷ୍ୟସ୍ଥଳରେ ରାଜ୍ୟ ପହଁଚିବା ନେଇ ଶଙ୍କା ଦେଖାଗଲାଣି । ରାଜ୍ୟର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ପୂରଣ ହେବା ନେଇ ମଧ୍ୟ ସମ୍ଭାବନା ଦେଖାଗଲାଣି । ଏପଟେ କେନ୍ଦ୍ର ଯେତିକି ରାଜ୍ୟର ଅଂଶ ବାବଦକୁ ଦେବାକଥା ତାହା ଦେବ କି ନାହିଁ ତାହା ମଧ୍ୟ ସନ୍ଦେହରେ । ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରିଲାଣି ସମସ୍ତଙ୍କ ମନରେ । ଅର୍ଥନୀତିଜ୍ଞଙ୍କ ଠାରୁ ଶିଳ୍ପପତି । ସରକାରଙ୍କ ଠାରୁ ସାଧାରଣ ଲୋକେ ଏଥିପାଇଁ ବି ଚିନ୍ତିତ । ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଉତ୍ସରୁ ଓଡିଶା ସରକାର ଯେଉଁ ୪୬ ହଜାର କୋଟିର ରାଜସ୍ବ ପ୍ରାପ୍ତି ଲକ୍ଷଧାର୍ଯ୍ୟ କରିଛନ୍ତି ତାହା ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଜୁଲାଇ ପର୍ଯ୍ୟନ୍ତ ପ୍ରଥମ କ୍ବାର୍ଟରରେ ରାଜସ୍ବ ସଂଗ୍ରହ ଲକ୍ଷ୍ୟଠାରୁ ଅଧିକା ଥିଲା । ଏବେ ଚିନ୍ତା ଦ୍ବିତୀୟ କ୍ବାର୍ଟରରୁ ରାଜସ୍ବ ସଂଗ୍ରହକୁ ନେଇ । କାରଣ ଆନ୍ତର୍ଜାତୀୟ ବଜାରରେ ଇସ୍ପାତର ଦର ହ୍ରାସ ପାଇଁ ଖଣି କାରବାର ବାଧାପ୍ରାପ୍ତ ହୋଇଛି । ଯାହାକି ରାଜ୍ୟ ରାଜସ୍ବର ସବୁଠୁ ବଡ ଉତ୍ସ । ଏବର୍ଷ ଓଡିଶା ୮,୫୦୦ କୋଟି ଖଣି ରାଜସ୍ବ ପାଇବାକୁ ଲକ୍ଷ୍ୟ ରଖିଛି । ସେହିଭଳି କେନ୍ଦ୍ରୀୟ ସ୍ତରରେ ଜିଏସଟି କମିବା ଆଶଙ୍କା ଥିବାରୁ ରାଜ୍ୟ ମଧ୍ୟ ତାର ସେୟାର ହରାଇବାକୁ ଯାଉଛି । ଏଭଳି କ୍ଷେତ୍ରରେ ବିକାଶ ପାଇଁ ଅର୍ଥ କେଉଁଠୁ ଆସିବ ତାକୁ ନେଇ ସମସ୍ତେ ଚିନ୍ତିତ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଯେଉଁ ପ୍ୟାକେଜ ଦେଇଛନ୍ତି ସେଥିରେ ମାନ୍ଦାବସ୍ଥାରୁ ସେଭଳି ବଡ ନିସ୍ତାର ନମିଳିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ କହୁଛନ୍ତି । ସରକାର କହୁଛନ୍ତି ଯାହା ହେଲେ ବି ଭିତ୍ତିଭୂମି କ୍ଷେତ୍ରକୁ ପ୍ରଭାବିତ ହେବାକୁ ଦିଆଯିବନି । ଯଦି ଏହା ହୁଏ ତାହାଲେ ସରକାର ଋଣ ଅଧିକ କରିପାରନ୍ତି । ଅର୍ଥାତ ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରୁ ୨୩ ହଜାର ୭୮୪ କୋଟି ଋଣ କରିବାକୁ ଯେଉଁ ଲକ୍ଷ୍ୟ ରଖିଥିଲେ ତାର ପରିମାଣ ଆହୁରି ବଢିପାରେ ବୋଲି ଆଂଶକା କରାଯାଉଛି । ଏଭଳି କ୍ଷେତ୍ରରେ ଓଡିଶା ଉପରେ ସେତେଟା ପ୍ରଭାବ ପଡିବ ନାହିଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଯେହେତୁ ଓଡ଼ିଶାର ଅର୍ଥନୀତି କୃଷିଭିତ୍ତିକ ତେଣୁ ମାନ୍ଦାବସ୍ଥା ପ୍ରଭାବ କମ ରହିବ ସେ କହିଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details