ଭୁବନେଶ୍ବର:ରାଜ୍ୟର ମହିଳା, ଶିଶୁ ଓ ବାଳିକା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ରାଜ୍ୟ ସରକାରଙ୍କ ପ୍ରୟାସକୁ ପୁଣିଥରେ ସର୍ବଭାରତୀୟ ସ୍ତରରେ ପ୍ରଶଂସା । ଆଜି ଆୟୋଜିତ 75 ତମ skoch ସମ୍ମିଳନୀ ତଥା ପୁରସ୍କାର ସମାରୋହରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର 2 ଟି କାର୍ଯ୍ୟକ୍ରମ ପୁରସ୍କୃତ ହୋଇଛି ।
ଘରେ ଘରେ ଅରୁଣିମା"କୁ ପ୍ଲାଟିନମ ବର୍ଗରେ ଏବଂ ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ "ନିର୍ଭୟା କଢିକୁ" ସମ୍ମାନଜନକ ଗୋଲ୍ଡ ବର୍ଗରେ skoch-2021 ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ଆଦ୍ୟ ଶୈଶବ କାର୍ଯ୍ୟକ୍ରମ "ବାତ୍ସଲ୍ୟ" ନୋମିନେସନ ପର୍ଯ୍ୟାୟରେ ସେମି ଫାଇନାଲରେ ସ୍ଥାନିତ ହୋଇଛି । ଏହି ଉଲ୍ଲେଖନୀୟ ସଫଳତା ପାଇଁ ସହଯୋଗୀ, UNICEF, UNFPA ଙ୍କ ସମେତ ସମସ୍ତ କ୍ଷେତ୍ର କର୍ମଚାରୀମାନଙ୍କ ନିଷ୍ଠା ଓ ପରିଶ୍ରମକୁ ପ୍ରଶଂସା କରିବା ସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଭାସୀ ମାଧ୍ୟମରେ ଏହି ବିଶାଳ କାର୍ଯ୍ୟକ୍ରମରେ ଦେଶର ବହୁ ରାଜ୍ୟରୁ ବିଶିଷ୍ଟ ବକ୍ତା, ପ୍ରଶାସକ, ନିତି ନିର୍ଦ୍ଧାରଣ କାରୀ ଅଂଶଗ୍ରହଣ କରି ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ସମ୍ପର୍କରେ ମତବ୍ୟକ୍ତ କରିଛନ୍ତି ।
ଉଦଘାଟନୀ ସମାରୋହରେ skoch ଗ୍ରୁପର ଅଧ୍ୟକ୍ଷ ସମୀର କୋଚର ଅଧ୍ୟକ୍ଷତା କରିଥିବାବେଳେ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଡ. ଗୁରୁଚରଣ ଅଞ୍ଚଳ ପ୍ୟାନେଲ ପରିଚାଳନା କରିଛନ୍ତି । ଚୟନ ହୋଇଥିବା ତିନୋଟି ଅଭିନବ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି ସମାଜ କଲ୍ୟାଣ ଓ ସମନ୍ଵିତ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ । ସେ କହିଛନ୍ତି ଯେ, କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଓ ସମୟୋଚିତ ପଦକ୍ଷେପ ପାଇଁ ମହାମାରୀର ପରିଚାଳନାରେ କେବଳ ଓଡିଶା ସଫଳ ହୋଇନି । ସବୁ ବର୍ଗର ଉନ୍ନତି ସହ ରାଜ୍ୟର ସାମଗ୍ରୀକ ବିକାଶ ପ୍ରକ୍ରିୟା ତ୍ବାରାନ୍ବିତ ହୋଇପାରିଛି । ଓଡିଶାରୁ ପ୍ୟାନେଲ ଆଲୋଚନାରେ ଭାଗ ନେଇ ସେ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମ ଗୁଡିକୁ ରାଜ୍ୟରେ କିଭଳି ରୂପାୟନ କରାଯାଉଛି ସେ ସମ୍ପର୍କରେ ମତବ୍ୟକ୍ତ କରିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କ ଆନ୍ତରିକ ଉଦ୍ୟମ ପାଇଁ ଚୟନ ହୋଇଥିବା ଯୋଜନା ଗୁଡିକର ତୃଣମୂଳ ସ୍ତରରେ ସଫଳ ରୂପାୟନ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।