ଭୁବନେଶ୍ବର: ମହୁଲ ଫୁଲର ଉନ୍ନତ ପ୍ରକ୍ରିୟାକରଣ ଦିଗରେ ଦିଆଯିବ ତାଲିମ । ଏହି ତାଲିମ ଏସ୍ସିଏସ୍ଟିଆର୍ଟିଆଇରେ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦିଆଯିବ । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ଭାବେ ତାଲିମର ଆୟୋଜନ କରାଯାଇଛି । ତାଲିମ କାର୍ଯ୍ୟକ୍ରମରେ ୩ଟି ପର୍ଯ୍ୟାୟରେ ପ୍ରାୟ ୧୦୦ ଜନଜାତି ମହିଳାଙ୍କୁ ତାଲିମ ପ୍ରଦାନ କରାଯିବ । ପ୍ରତ୍ୟେକ ପର୍ଯ୍ୟାୟର ଅବଧି ୩ ଦିନ ରହିବ ।
ଜନଜାତି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଦିଆଯିବ ଦକ୍ଷତା ବୃଦ୍ଧି ତାଲିମ ପର୍ଯ୍ୟାୟ କ୍ରମେ ତାଲିମ ସୂଚୀ ୨୫ରୁ ଅର୍ଥାତ ଆଜି ଟାରୁ ଆରମ୍ଭ ହୋଇ ୨୭ ଜୁଲାଇ ଯାଏଁ ଚାଲିବ । ସେହିପରି ୨୮ରୁ ୩୦ ଜୁଲାଇ ଓ ୨ରୁ ୪ ଅଗଷ୍ଟ ଯାଏଁ ସ୍ଥିର କରାଯାଇଛି । କାର୍ଯ୍ୟକ୍ରମରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜନଜାତି ବହୁଳ ଜିଲ୍ଲାମାନଙ୍କରୁ ଜନଜାତି ମହିଳାମାନେ ଅଂଶଗ୍ରହଣ କରିଛନ୍ତି ।
ଆଜି ପ୍ରଥମ ପର୍ଯ୍ୟାୟରେ ତାଲିମର ଉଦ୍ଘାଟନୀ ଉତ୍ସବରେ ଏସ୍ସିଏସ୍ଟିଆର୍ଟିଆଇର ଉପଦେଷ୍ଟା ତଥା ନିର୍ଦ୍ଦେଶକ ତଥା ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଶାସନ ସଚିବ ପ୍ରଫେସର ଡ. ଅଖିଳ ବିହାରୀ ଓତା, ଓୟୁଏଟିର ଡିନ୍ ଡ. ସଞ୍ଜୟ କୁମାର ଦାସ, ଓୟୁଏଟି-ସିଏଇଟିର ବିଭାଗୀୟ ମୁଖ୍ୟ ଡ. କଳ୍ପନା ରାୟଗୁରୁ ପ୍ରମୁଖ ତାଲିମ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
ଓୟୁଏଟି-ସିଏଇଟିର ସହଯୋଗକୁ ପ୍ରଶଂସା କରିିବା ସହିତ ଆଗାମୀ ଦିନରେ ଦୁଇ ସହଯୋଗୀ ଅନୁଷ୍ଠାନଙ୍କ ମିଳିତ ଆନୁକୂଲ୍ୟରେ ଅନେକ କାର୍ଯ୍ୟକ୍ରମ କରାଯାଇପାରିବ ବୋଲି ପ୍ରଫେସର ଡ. ଓତା ଆଶାପୋଷଣ କରିଛନ୍ତି । ଓଡ଼ିଶାର ଭୌଗୋଳିକ ପରିସୀମାର ପ୍ରାୟ ୩୭ ପ୍ରତିଶତ ଅଞ୍ଚଳ ଜଙ୍ଗଲ ପରିବେଷ୍ଟିତ ।
ଜନଜାତି ଅଧ୍ୟୁଷିତ ଅନୁସୂଚିତ ଅଞ୍ଚଳରେ ଜଙ୍ଗଲର ପରିମାଣ ଅପେକ୍ଷାକୃତ ଅଧିକ । ଯାହା ଜନଜାତି ଗୋଷ୍ଠୀଙ୍କର ଜଙ୍ଗଲ ଆଧାରିତ ଜୀବନଜୀବିକା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ଜଙ୍ଗଲରୁ ଉପଲବ୍ଧ ଲଘୁ ବନଜାତ ଦ୍ରବ୍ୟ ଶ୍ରେଣୀଭୁକ୍ତ ବିଭିନ୍ନ ଉତ୍ପାଦ ଜନଜାତି ଗୋଷ୍ଠୀମାନଙ୍କର ଜୀବିକା ନିର୍ବାହ ତଥା ଅର୍ଥନୀତି ପାଇଁ ଅତି ମହତ୍ତ୍ୱ୍ୱପୂର୍ଣ୍ଣ ।
ଏହି ଲଘୁ ବନଜାତ ଦ୍ରବ୍ୟମାନଙ୍କ ମଧ୍ୟରେ ମହୁଲ ଫୁଲ ଅନ୍ୟତମ । ଏହା ଜନଜାତି ଗୋଷ୍ଠୀମାନଙ୍କର ସଂସ୍କୃତି ଓ ଖାଦ୍ୟ ପରମ୍ପରାରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଆସିଛି । ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ଗୋଷ୍ଠୀମାନଙ୍କର ଜୀବିକା ଓ ଅର୍ଥନୀତିକୁ ଏହା ପ୍ରଭାବିତ କରିବା ସହିତ ସମୃଦ୍ଧ କରିଛି । ବିଜ୍ଞାନ ସମ୍ମତ ନିରନ୍ତର ଅମଳ ପ୍ରକ୍ରିୟାର ଅବଲମ୍ବନରେ ତଥା କାରିଗରୀ ବିଦ୍ୟାର ସଠିକ୍ ଉପଯୋଗରେ ଏହି ମହୁଲ ଫୁଲର ଖାଦ୍ୟ ପ୍ରକ୍ରିୟାକରଣକୁ ମୂଲ୍ୟଯୁକ୍ତ କରାଯାଇପାରିଲେ ଏହା ଜନଜାତି ପରିବାରଙ୍କ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିପାରିବ ।
ଇଟିଭି ଭାରତ, ଭୁବନେଶ୍ବର