ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ ହେବାର ଥିଲା ଦେବ ଦେବ ମହାଦେବଙ୍କ ଶୁଭ ବିବାହ । ହରପର୍ବତୀଙ୍କର ହୋଇଥାନ୍ତା ମିଳନ । ପ୍ରଭୁ ଲିଙ୍ଗରାଜ କେଦାରଗୌରୀ ମନ୍ଦିରକୁ ବିଜେ କରି, ମାତା ଗୌରୀଙ୍କୁ ବିବାହ କରିବାର ପରମ୍ପରା ରହିଆସିଛି । ଏଥିପାଇଁ କେଦାରଗୌରୀ ମନ୍ଦିରରେ କନ୍ୟାପକ୍ଷଙ୍କ ପକ୍ଷରୁ ଲିଙ୍ଗରାଜଙ୍କ ବରଯାତ୍ରୀଙ୍କୁ ସ୍ବାଗତ କରିବାକୁ ସମସ୍ତ ପ୍ରକାର ଆୟୋଜନ କରାଯାଇଥାଏ । ହେଲେ ବିବାଦ ପାଇଁ ଗତକାଲି (ଶୁକ୍ରବାର) ମାତା ଗୌରୀଙ୍କ ମଙ୍ଗନ କାର୍ଯ୍ୟ ସମ୍ପନ୍ନ ହୋଇପାରି ନାହିଁ । ଲିଙ୍ଗରାଜ ମନ୍ଦିରରେ ସେବାୟତ ନିଯୋଗଙ୍କ ଅସହଯୋଗ ଯୋଗୁଁ ନୀତିରେ ବିଭ୍ରାଟ ସହ ଏହି ସମସ୍ୟା ସୃଷ୍ଟି ହୋଇଥିଲା ।
ପ୍ରଭୁ ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟରେ କପିଳେଶ୍ବର ବାବା ଯୋଗ ଦେଇ ଲିଙ୍ଗରାଜଙ୍କ ପିତାଙ୍କ ଦାୟିତ୍ବ ନିର୍ବାହ କରୁଥିବା ବେଳେ ମାତା ଗୌରୀଙ୍କ ପିତା ଭାବେ ଅନନ୍ତ ବାସୁଦେବ ଯୋଗ ଦେଇଥାନ୍ତି । ତେବେ ଲିଙ୍ଗରାଜ ମନ୍ଦିର ସେବାୟତ ଓ କପିଳେଶ୍ବର ମନ୍ଦିର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ୨୦୧୫ ମସିହା ଅଅଁଳା ନବମୀ ପରଠାରୁ ଜଟିଳ ପରିସ୍ଥିତି ସୃଷ୍ଟି ସହ ଅନେକ ବିବାଦ ହୋଇଛି ।
ଦୀର୍ଘ ୮ ବର୍ଷ ଧରି କପିଳେଶ୍ବର ବାବା ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟରେ ଯୋଗ ଦେଉନାହାନ୍ତି ଫଳରେ, ପରମ୍ପରା ଭଙ୍ଗ ହୋଇଆସୁଛି । ହାତରେ କମ ସମୟ ଥିବା ବେଳେ ପ୍ରଶାସନ କପିଳେଶ୍ବର ମନ୍ଦିରର ମଲ୍ଲିଆ ଓ ଖୁଣ୍ଟିଆ ନିଯୋଗର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛି । ଆଲୋଚନା ସଫଳ ହେବା ସହ ଦୀର୍ଘ ୮ ବର୍ଷ ପରେ କପିଳେଶ୍ବର ବାବା ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟରେ ଯୋଗଦାନ ନେଇ ସହମତି ପ୍ରକାଶ ପାଇଥିଲା । ତେବେ ଉଭୟ ନିଯୋଗର ବିଭିନ୍ନ ଦାବି ଓ ସମସ୍ୟା ନେଇ ଗତ ୨୭ ତାରିଖରେ ବୈଠକ ବସିବାକୁ ଦିନ ଧାର୍ଯ୍ୟ ହୋଇଥିଲା ।