ଭୁବନେଶ୍ବର: ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଯୋଡ଼ି ହେଉଛି ଆଉ ଏକ ସଫଳତା । ଅନ୍ୟ ଏକ ପଦକ୍ଷେପ ସ୍ବରୂପ ଶୁକ୍ରବାର ରାଜ୍ୟ ସରକାର ୫୬୩ କୋଟି ଟଙ୍କାର ୨ଟି ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ୯୦ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ନୀତିଗତ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଅନୁଷ୍ଠିତ ଏକ ବୈଠକରେ, ଶିଳ୍ପ କମିଶନର ତଥା ସଚିବ ହେମନ୍ତ ଶର୍ମାଙ୍କ ସହାୟତାରେ ଏହି ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ଦିଆଯାଇଛି ।
ନିବେଶ ପ୍ରସ୍ତାବ ପ୍ଲାଷ୍ଟିକ, ଇସ୍ପାତ ଏବଂ ଭିତ୍ତି ସଂରଚନା ଉପରେ ପର୍ଯ୍ୟବେସିତ ଥିଲା । ଏହି ୨ଟି ପ୍ରକଳ୍ପରେ ୧୨୭୩ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ଗ୍ଲେନ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡକୁ ବାର୍ଷିକ ୯୨୬୧ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ପ୍ଲାଷ୍ଟିକ ଫୁଡ କଣ୍ଟେନର ଏବଂ ମଡ୍ୟୁଲଡ ପପେର ତିଆରି କରିବା କାର୍ଯ୍ୟ ନିମନ୍ତେ ୬୩ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ।