ଭୁବନେଶ୍ବର: ପାଖେଇ ଆସୁଛି ଭୋଳା ବାବାଙ୍କ ମହାପର୍ବ ମହାଶିବରାତ୍ରି ଉତ୍ସବ। ଆସନ୍ତା 21 ତାରିଖ ଅର୍ଥାତ ଶୁକ୍ରବାର ସାରା ଦେଶରେ ଏହି ଜାଗର ଉତ୍ସବ ପାଳନ ହେବ। ଏହି ଦିନରେ ଭକ୍ତ ଓ ଭଗବାନ ଏକାକାର ହେବେ। ଏନେଇ ଏବେଠୁ ଏକାମ୍ର କ୍ଷେତ୍ରର ଅଧୀଶ୍ଵର ବାବା ଲିଙ୍ଗରାଜଙ୍କ ପୀଠ ସଜେଇ ହେଲାଣି। ମହା ଶିବରାତ୍ରି ପାଳନ ନେଇ ଲିଙ୍ଗରାଜ ମନ୍ଦିରରେ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରଶାସନ ପକ୍ଷରୁ ଜାରି ରହିଛି।
ଏହି ଅବସରରେ ଦୀର୍ଘ ବର୍ଷ ଧରି ଏକାମ୍ର ସାଂସ୍କୃତିକ ପ୍ରକାଶନ ପକ୍ଷରୁ ଏଠାରେ ଜାତୀୟ ସ୍ତରର ଭଜନ ସମାରୋହ ଆୟୋଜିତ ହୋଇ ଆସୁଥିବା ବଳେ ଚଳିତ ବର୍ଷ ଏହା 31 ବର୍ଷ ରେ ପଦାର୍ପଣ କରିଛି। ତେଣୁ ଏହି ଉତ୍ସବକୁ ଆହୁରି ଉନ୍ନତ କରିବା ଉଦେଶ୍ୟରେ ଏଥର ସମାରୋହରେ ଭକ୍ତି ଭଜନର ସାମ୍ରାଜ୍ଞୀ ଅନୁରାଧା ପଡ଼ୁୱାଲଙ୍କ ସମେତ ବାପି ଲହିରୀ ଓ ଆରତୀ ମୁଖାର୍ଜୀଙ୍କୁ ସଙ୍ଗୀତ ପରିବେଷଣ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।
ସ୍ଥାନୀୟ ଏକାମ୍ର ପ୍ରକାଶନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ସୁରେଶ ରାଉତରାୟ କହିଛନ୍ତି। ଏହା ସହିତ 25 ରୁ ଉର୍ଦ୍ଧ୍ବ ଓଡ଼ିଆ କଳାକର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ତତ୍ତ୍ବାବଧାନରେ ସଙ୍ଗୀତ ପରିବେଷଣ କରିବେ ବୋଲି ସେ କହିଛନ୍ତି।