ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ‘ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଚିତ୍ରକଳା ଶିବିର ଉଦ୍ଘାଟିତ । ଭର୍ଚୁଆଲରେ ‘ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ଏକ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ଉଦଘାଟିତ ହୋଇଛି । ଏହି ଶିବିର ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ ଓ ଅଂଶଗ୍ରହଣ କରିଥିବା ଶିଳ୍ପୀ ନିଜ ନିଜ ଘରେ ରହି ଚିତ୍ର ଅଙ୍କନ କରିବେ ।
ଏହାକୁ ଉଦଘାଟନ କରିଛନ୍ତି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କୋଭିଡ ସମୟରେ ଓଡ଼ିଶାର ଚିତ୍ରକଳା ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆଦେଶାନୁସାରେ ଓଡ଼ିଶା ଲଳିତ କଳା ଏକାଡେମୀ କୋଭିଡ୍ ନିୟମକୁ ପାଳନ କରି ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ ଜାରି ରଖିବ । ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି । ଗତ ଜୁନ୍ ମାସ ୮ ତାରିଖରେ ପୁରୀ ଜିଲ୍ଲା ରଘୁରାଜପୁର ଗ୍ରାମରେ ୧୫୦ଟି ଶିଳ୍ପୀ ପରିବାରଙ୍କୁ ନେଇ ଏକ ଭିତ୍ତିଚିତ୍ର ଶିବିର ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଆୟୋଜନ କରାଯାଇଥିଲା । ଓଡ଼ିଶାର ଶିଳ୍ପୀମାନେ ଘରେ ରହି ଚିତ୍ରକଳା କରିବା ପାଇଁ ଉତ୍ସାହିତ ହୋଇ ରଥଯାତ୍ରା ଅବସରରେ ‘ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ବିଷୟ ବସ୍ତୁ ଆଧାରିତ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୃତି ଗୁଡ଼ିକୁ ଭର୍ଚୁଆଲ ପ୍ରଦର୍ଶନୀ ମାଧ୍ୟମରେ ସର୍ବଜନାଦୃତ କରିବା ଲକ୍ଷ୍ୟରେ ଓଡ଼ିଶା ଲଳିତକଳା ଏକାଡେମୀର ନିଆରା ଉଦ୍ୟମ ବୋଲି ମନ୍ତ୍ରୀ କହିଛନ୍ତି ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହି ଅବସରରେ କହିଛନ୍ତି ଯେ ଓଡ଼ିଶାର ଲୋକମାନେ ଆଗରୁ ନଅଙ୍କ ଦୁର୍ଭିକ୍ଷ ପରି କରାଳ ମହାମାରୀକୁ ଜୟ କରିଛନ୍ତି । ଚଳିତ ବିଶ୍ବ ମହାମାରୀ କୋଭିଡ୍ ସମୟରେ ମଧ୍ୟ ଘରେ ରହି ଏହି ସ୍ବତନ୍ତ୍ର ଚିତ୍ରକଳା ଶିବିରରେ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମକୁ ଦୃଢ଼ ମନୋବଳ ସହକାରେ ସଫଳ କରି ଚିତ୍ରଶିଳ୍ପୀଗଣ ଜୟ ଲାଭ କରିପାରିବେ । କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଜଗତର ନାଥ ଜଗନ୍ନାଥଙ୍କ କୃପା ଭିକ୍ଷା କରି ଶିଳ୍ପୀ ପରିବାରର ଶୁଭକାମନା କରିଥିଲେ ।