ଭୁବନେଶ୍ବର: ଏକ ବିରାଟ ଜନ ଆନ୍ଦୋଳନର ରୂପ ନେବ ଶ୍ରୀମନ୍ଦିରର ବିକାଶ ପାଇଁ ସମର୍ପଣ ନିଧି ସଂଗ୍ରହ ଅଭିଯାନ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦିଗଦର୍ଶନରେ ସମର୍ପଣ ନିଧି ସଂଗ୍ରହ ଅଭିଯାନ କାର୍ଯ୍ୟ ତ୍ବରାନ୍ବିତ ନାହିଁ । ଏଥିରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ସାଢେ 4 କୋଟି ଓଡିଆଙ୍କ ଶ୍ରମ ଓ ଆର୍ଥିକ ଯୋଗଦାନ ନିମନ୍ତେ ରବିବାର ବିଚାର ବିମର୍ଷ ହୋଇଛି । ଏନେଇ ରବିବାର ବିଶ୍ବ ଓଡିଆ ସମୁଦାୟଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଆଲୋଚନାରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ହୋଇଥିଲେ ସାମିଲ ।
ଶ୍ରୀମନ୍ଦିର ବିକାଶ ପାଇଁ ସାମୂହିକ ପ୍ରଚେଷ୍ଟା କରିବା ଦିଗରେ ହୋଇଥିଲା ଆଲୋଚନା । ଭିସି ମାଧ୍ୟମରେ ଯୋଡି ହୋଇଥିଲେ 35 ରୁ ଊର୍ଦ୍ଧ୍ବ ଦେଶରେ ରହୁଥିବା ଓଡିଶା ସମାଜର ଲୋକ । ଏକବିଂଶ ଶତାବ୍ଦୀରେ 800 ବର୍ଷର ପୁରୁଣା ପୁରୀ ଶ୍ରୀମନ୍ଦିର ଉନ୍ନତି ପାଇଁ ଉଦ୍ୟମ କରାଯିବା ଏକ ପ୍ରଶଂସନୀୟ କାର୍ଯ୍ୟ । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ଭାରତ ସରକାର ସହଯୋଗୀ ହୋଇଛନ୍ତି । ସମଗ୍ର ହିନ୍ଦୁ ସମାଜ ତଥା ବିଶ୍ବରେ ରହୁଥିବା ସମସ୍ତ ଓଡିଆ ଶ୍ରୀମନ୍ଦିର ଓ ପରମ୍ପରାକୁ ଅଧିକ ହଜାର ହଜାର ବର୍ଷ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରିବା ଦରକାର ବୋଲି ଗଜପତି ମହାରାଜ କହିଛନ୍ତି । ଶ୍ରୀମନ୍ଦିର ବିକାଶ ପାଇଁ ସମର୍ପଣ ନିଧି ଅଭିଯାନକୁ ଜନଆନ୍ଦୋଳନ ରୂପ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।