ଭୁବନେଶ୍ବର: ସଂକ୍ରମଣ ରୋକିବାକୁ ପୂର୍ବ ବର୍ଷର ରଣକୌଶଳ ଅପଣେଇଲା ବିଏମସି । ଆଜିଠାରୁ ପୁଣି ହାଟ ଓ ବଜାରର ବିକେନ୍ଦ୍ରୀକରଣ କଟକଣା ଜାହିର କରିଛି ବିଏମସି । ସାମାଜିକ ଦୂରତା ଓ ମାସ୍କ ନଥିଲେ ଦୋକାନ ସିଲ ହେବାନେଇ ଚେତାବନୀ ଦେଇଛି ବିଏମସି । ଭୁବନେଶ୍ୱର ଡୁମୁଡୁମା, ପଟିଆ, ଡମଣା, ୟୁନିଟ-୪, ୟୁନିଟ -୧, ୟୁନିଟ-୨ ସମେତ ବିଭିନ୍ନ ସ୍ଥାନରେ ଥିବା ମାର୍କେଟରେ କଟକଣା କଡାକଡି ଅନୁପାଳନ କରିବା ପାଇଁ ଗତକାଲି ମାର୍କେଟ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା । ଏନେଇ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।
ଅନ୍ୟପଟେ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ମଧ୍ୟ ଜୋର ଦିଆଯାଉଛି । ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ହାଇଟେକ ହସ୍ପିଟାଲରେ ୨୦୦ ଶଯ୍ୟା ଓ ନୀଳାଚଳରେ ୧୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ସେହିପରି ଆସନ୍ତାକାଲି ବ୍ଲୁ ହ୍ବିଲ କୋଭିଡ ହସ୍ପିଟାଲ ମଧ୍ୟ କାର୍ଯ୍ୟକାରୀ ହେବାକୁ ଯାଉଛି । ଅନ୍ୟପଟେ ସ୍ପର୍ଶ ଓ କିମ୍ସ କୋଭିଡ ହସ୍ପିଟାଲ ମଧ୍ୟ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । କିମ୍ସ କୋଭିଡ ହସ୍ପିଟାଲରେ ୫ଶହ ଶଯ୍ୟା ବ୍ୟବସ୍ଥା କରାଯିବା ନେଇ କାର୍ଯ୍ୟ ଜାରିରହିଛି ।